ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପିଲାଦିନରୁ ଭାଷା ଶିଖି
ମଣିଷ ପାରେ ପଢ଼ି, ଲେଖି
ଶୁଣିଲେ ବୁଝଇ ଭାବାର୍ଥ
ବଢ଼ାଏ ନିଜର ସାମର୍ଥ୍ୟ
ବୟସ ବଢ଼ିବା ସହିତ
ଅନ୍ୟାନ୍ୟ ଭାଷାକୁ ଆୟତ୍ତ
କରେ ନିଜ ଅଭ୍ୟାସ ବଳେ
ଅନେକ ଭାଷା ଧରି ଚଳେ
ଆମର ଦେଶ ବହୁଭାଷୀ
ତେଣୁ ଶିକ୍ଷିତ ଦେଶବାସୀ
ଅନେକ ଭାଷା ବ୍ୟବହାର
କରଂତି ଏଠି ନିରଂତର
ଯେଉଁ ଭାଷାରେ ଯିଏ ଦକ୍ଷ
ହୁଏ ସେ ଭାଷାରେ ଲେଖକ
ତେଣୁ ତାହାର ମୂଳ ଭାଷା
ଭୋଗଇ ଅଯଥା ଦୁର୍ଦଶା
ପ୍ରଥମେ ଶିଖିଥିବା ଭାଷା
ଉପରୁ ତୁଟିଲେ ଭରସା
ସ୍ବଭାଷୀ କରେ ଭାଷା ତ୍ୟାଗ
ଏହା ହିଁ ପ୍ରକୃତ ଦୁର୍ଯୋଗ
ପାରିବାରିକ, ସାମାଜିକ
କାର୍ଯରେ ଆମ ଦେଶ ଲୋକ
ଦେଖାଂତି ଅନ୍ୟ ଭାଷା ପ୍ରୀତି
ତାହା ହିଁ ବାସ୍ତବ ଦୁର୍ଗତି
କେବେ ହେବ ଚୈତନ୍ୟୋଦୟ
ସେ ବେଳ ହୋଇନାହିଁ ଥୟ
ମନରେ ଜାତ ହୁଏ ଭୟ
ଭାଷା କି ଲଭିବ ବିଲୟ?
ଏବର ସ୍ବଭାଷୀ ସଂତାନ
ଏ ଆଡ଼େ ଦେଲେ ଟିକେ ଧ୍ୟାନ
ସଂଭବ ନବଜାଗରଣ
ସ୍ବଭାଷା ପାଇବ ସମ୍ମାନ
ନିଜ ଭାଷା ଲେଖିବା ପାଇଁ
ବେଶି ପ୍ରତିଭା ଲୋଡ଼ାନାହିଁ
ମନେ ପକାଇ ପିଲାଦିନ
କରିବା ସ୍ବଭାଷା ଲିଖନ
ଆନୁଗତ୍ୟ ସହିତ ନିଷ୍ଠା
ମିଶାଇ କଲେ ଅଳ୍ପ ଚେଷ୍ଟା
ଏବେ ହିଁ ହୋଇ ଦୂରଦ୍ରଷ୍ଟା
ସ୍ବଭାଷା କରିବା ପ୍ରତିଷ୍ଠା
Comments are closed.