Latest Odisha News

ଭାଷା ଭାଗବତ : ଧୂମାଚ୍ଛନ୍ନ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ମଣିଷ ହୋଇ ସୁଦ୍ଧା ଜୀବ
ମନରେ ନିରାଧାର ଗର୍ବ
ଧରି କରଇ ଆତ୍ମନାଶ
ତହିଁରୁ ଆହରେ ସଂତୋଷ

ମନୁଷ୍ଯ ହେଲେ ସୁଦ୍ଧା ପଶୁ
ସ୍ବଭାବେ ଅଧିକ ଜିଜ୍ଞାସୁ
କରଇ ତଥ୍ୟ ବିଶ୍ଳେଷଣ
ତହିଁରୁ ପାଇଥାଏ ଜ୍ଞାନ

ଅଥଚ ଜ୍ଞାନର ପ୍ରୟୋଗ
ନ କରି ହରାଏ ସୁଯୋଗ
କରେ କେବଳ ଉପଭୋଗ
ତେଣୁ ତ ଘଟଇ ଦୁର୍ଯୋଗ

ପ୍ରକୃତି ସହ କରି ଯୁଦ୍ଧ
ଆହ୍ବାନ କରଇ ବିପଦ
ଲୁଂଠନ କରିଲେ ସଂପଦ
ଆନଂଦେ ହୁଏ ଗଦ୍‌ଗଦ

ନିଜକୁ ମଣେ ସର୍ବଶ୍ରେଷ୍ଠ
ତେଣୁ ଭୋଗିଲେ ସୁଦ୍ଧା କଷ୍ଟ
ବୁଝେନି ସତ୍ୟର ମହତ୍ତ୍ବ
ହୁଏ ଓ କରେ ହଂତସଂତ

ବହୁ ଯୁଗ ଗଲେ ହେଁ ବିତି
ବଦଳିନାହିଁ ମତିଗତି
ହେଉଥିଲେ ହେଁ ଏତେ କ୍ଷତି
ସଂଭାଳି ରଖୁଛି ପ୍ରବୃତ୍ତି

ପ୍ରକୃତି, ପ୍ରବୃତ୍ତିର ଭେଦ
ବୁଝି ନ ପାରି ଆତ୍ମବୋଧ
କରିଛି ଜୀବନ ବିପନ୍ନ
ସବୁ ଜ୍ଞାନକୁ ଧୂମାଚ୍ଛନ୍ନ

ଦେଖାଇ ଭାଷାର କୌଶଳ
ଜଣାଇ ଥାଏ ଜ୍ଞାନବଳ
ମିଳେନି ଚାହୁଁଥିବା ଫଳ
ସର୍ବଦା ହୁଏ ଟଳମଳ

ଦୋଦୁଲ୍ୟମାନ ଯେଣୁ ସ୍ଥିତି
ଘଟୁନି ବାଂଛିତ ଉନ୍ନତି
ବିଶ୍ବ କ୍ରମଶଃ ହୁଏ ନିଃସ୍ବ
ତେବେ ବି ନିଶ୍ଚିଂତ ମଣିଷ

Comments are closed.