ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସର୍ବମଂଗଳକାରୀ ନୀତି
ନ ଥିଲେ ଭାଷାର ଉନ୍ନତି
ଘଟିବା ହୁଏନି ସଂଭବ
ଏ ସତ୍ୟ କରୁଁ ଅନୁଭବ
ଶିଶୁ, ଯୁବକ, ପ୍ରୌଢ଼, ବୃଦ୍ଧ
ସଭିଂକୁ କରିଲେ ସମୃଦ୍ଧ
ଭାଷାର ପଥ ଅବରୁଦ୍ଧ
ନ ହୋଇ, ହୁଏ ସର୍ବଶୁଦ୍ଧ
‘ଏବେ ତ କେବଳ ଲେଖକ
ରଖଂତି ସ୍ବଭାଷାର ଟେକ’
ଏହି ଧାରଣାଗ୍ରସ୍ତ ଲୋକ
ଦେଖଂତିନାହିଁ ଭାଷାଲୋକ
ଭାଷାର ମୂଳଦୁଆ ଶିଶୁ
ବିଦ୍ୟାଳୟରେ ପଶୁ ପଶୁ
ବାଧ୍ୟତଃ ଶିଖେ ଭିନ୍ନ ଭାଷା
ଏପରି ତାହାର ଦୁର୍ଦଶା
ଯେଉଁ ଭାଷା ସେ ନିତି କହେ
ବିଦ୍ୟାଳୟରେ ଲୋଡ଼ା ନୁହେ
ଆମର ଏହି କାର୍ଯଧାରା
ଭାଷାକୁ କରେ ଦରମରା
‘ମାଆ, ବାପା’ କୁ ‘ମାତା, ପିତା’
ଲେଖାଇବାର ପ୍ରବଣତା
ଯୋଗୁଁ ଶିଶୁର ଛୋଟ ମଥା
କଷଣ ଭୋଗଇ ଅଯଥା
ବାସ୍ତବ ଭାଷାକୁ ଉପେକ୍ଷା
କରି ଦେଉଛୁଁ ଯେଉଁ ଶିକ୍ଷା
ତାହାକୁ କରିଲେ ସମୀକ୍ଷା
ସ୍ବଭାଷା ପାଇପାରେ ରକ୍ଷା
ହେଲେ ହେଁ ବହୁ ଗୁରଜନ
କଥିତ ଭାଷାକୁ ସମ୍ମାନ
ଦେବାକୁ କରଂତିନି ମନ
ତେଣୁ ହେଉନି ଉନ୍ନୟନ
ଶିକ୍ଷା ପଦ୍ଧତି ନିର୍ଧାରଣ
କରଂତି କର୍ମଚାରୀଗଣ
ଯାହାକୁ ଯେମିତି ସୁବିଧା
ଯୋଗୁଁ ଉପୁଜେ ସବୁ ବାଧା
ଏହାର ଦ୍ରୁତ ନିବାରଣ
ପାଇଁ ନାହିଁ କାହାର ଧ୍ୟାନ
ସବୁଠି ଭାଷା ପ୍ରଚଳନ
ଏବେ ବି ଅଳୀକ ସପନ
Comments are closed.