ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିଷ୍କ୍ରିୟ ହେବା ଯାଏଁ ଭୟ
ଅଥବା ମନକୁ ଅଥୟ
ନ କରି, ହୋଇଲେ ସକ୍ରିୟ
ଭୟକୁ କରିହୁଏ ଜୟ
ଆଶାପୋଷିତ ଏକ ମନ
ହେଲେ ହେଁ ଅମୂଲ୍ୟ ରତନ
ତାହାକୁ କରିଲେ ଉପେକ୍ଷା
ମିଳେନି ଅନୁପମ ଶିକ୍ଷା
ମନକୁ ସ୍ମୃତିର ଆଧାର
ରୂପେ କରିଲେ ବ୍ୟବହାର
ତହିଁରେ ନୂତନ ଚିଂତନ
ହୁଏନି କେବେ ବି ଉତ୍ପନ୍ନ
ଯାହାକୁ କହୁଁ ପରଂପରା
ତାହା ନିର୍ଦିଷ୍ଟ ଚିଂତାଧାରା
ତହିଁରୁ ହୋଇଲେ ବିଚ୍ଛିନ୍ନ
ମନ ବି ହୁଅଇ ସ୍ବାଧୀନ
ସ୍ବାଧୀନ ଚିଂତାକାରୀ ବ୍ୟକ୍ତି
ଭାଷାକୁ ଦେଲେ ନୂଆ ଶକ୍ତି
ସାହିତ୍ୟ ହୁଏ ସମୁନ୍ନତ
ସାଧନ କରେ ସର୍ବହିତ
ପୁନର୍ଲିଖନ କରି କରି
ଲେଖକେ ଗଲେ ସୁଦ୍ଧା ହାରି
କେବଳ ଅଭ୍ୟାସ ବଶତଃ
ହୋଇଥାଆଂତି କାର୍ଯରତ
ବହିର ସଂଖ୍ୟା ହେଲେ ବୃଦ୍ଧି
ଘଟେନି ଭାଷାର ସମୃଦ୍ଧି
ବହୁସ୍ତରୀୟ ହେଲେ ଭାଷା
ସଂଚାର କରିଥାଏ ଆଶା
କେବଳ ଭାଷାପ୍ରେମୀ ଲୋକ
ପାଇଲେ ଜ୍ଞାନର ଆଲୋକ
ଭାଷା ପାରେନି ବେଶି ବ୍ୟାପି
ଏ ସତ୍ୟ ବୁଝିନୁ ଅଦ୍ୟାପି
ସୁବିଧାଭୋଗୀ ଯେତେ କବି
ନୁହଂତି ଯେଣୁ ଅନୁଭବୀ
କରଂତି କଳ୍ପନା ବିଳାସ
ଭାଷା ହେଉଛି କ୍ରମେ ନାଶ
ଭାବକୁ ଚିହ୍ନି ଶବ୍ଦ ବାଛି
ଲେଖିବା ଯଦି କିଛି କିଛି
ସ୍ପଷ୍ଟ ଦିଶିବ ବାସ୍ତବତା
ଭାଷା ପାଇବ ନିରାପତ୍ତା
Comments are closed.