Latest Odisha News

BREAKING NEWS

ଭାଷା ଭାଗବତ : ମତ ସମୀକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ମତ ନ ହେଲେ ସମୀକ୍ଷିତ
ଜଣା ପଡ଼େନି ମିଛ, ସତ
ତେଣୁ ଅଟଇ ଅକାରଣ
ବିରୋଧ ଅବା ସମର୍ଥନ

ଯାହା ବି ଲାଗଇ ନୂତନ
ସେହି ଆଡ଼କୁ ନେଇ ମନ
ଗ୍ରହଣ ଅବା ପ୍ରତ୍ୟାଖ୍ୟାନ
କରଂତି ଜ୍ଞାନୀ ଓ ଅଜ୍ଞାନ

ନୂତନ ପଦ୍ଧତି, କୌଶଳ
କାମକୁ କରିଲେ ସରଳ
ଅନେକେ କରଂତି ସ୍ବୀକାର
ପୁରୁଣା ପାଏ ଅନାଦର

ଯାହା ଯେମିତି ଚଳୁଥିଲା
ଏବେ ଯଦି ତା ନ ଚଳିଲା
ଅଯଥା ହେଲେ ସୁଦ୍ଧା ଘାରି
ସତେ ତ ଆସେନାହିଁ ଫେରି

ସମୟ ସଦା ଅଗ୍ରମୁଖୀ
ପଛକୁ ପାରେନାହିଁ ଦେଖି
ସମୟାଧୀନ ଏ ମଣିଷ
ସ୍ମରଣ କରି ଭୋଗେ କ୍ଳେଶ

ସବୁ ତ ପରିବର୍ତନୀୟ
ଚର, ଅଚର ବିଶ୍ବମୟ
ଅଯଥା ତାହା ପ୍ରତି ଭୟ
ହୋଇପାରେନି ସ୍ପୃହଣୀୟ

ଯାହା ଥିଲା ତହିଁର ସ୍ମୃତି
ରକ୍ଷଣ କରିବା ପ୍ରବୃତ୍ତି
ଯେଣୁ ପ୍ରକୃତି ପରିପଂଥୀ
ବର୍ଜନ କରିପାରେ ବ୍ୟକ୍ତି

ମଣିଷ ହେଲେ ମୌଳବାଦୀ
ଲଂଘଇ ଶିଷ୍ଟତା ପରିଧି
ଅନ୍ୟକୁ ଦିଏ ବହୁ ଶିକ୍ଷା
ନିଜକୁ କରେନି ପରୀଷା

ଏପରି ଦୋମୁଖୀ ସ୍ବଭାବ
ଯୋଗୁଁ ଭୋଗୁଛୁଁ ପରାଭବ
ତେବେ ବି ପାରୁନାହୁଁ ଶିଖି
ସବୁ ବୁଝି, ଜାଣି ଓ ଦେଖି

 

Leave A Reply

Your email address will not be published.