ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଭାଷା ସଂପୃକ୍ତ ଯେତେ ତତ୍ତ୍ବ
ଚର୍ଚିତ ଓ ପୁନଶ୍ଚର୍ଚିତ
ହେଲେ ହିଁ ଜଣାପଡ଼େ ସତ
ସଂଗତ ଆଉ ଅସଂଗତ
ଭାଷାର ନିୟମ ଓ ବିଧି
ନୁହଂତି ଯେହେତୁ ପରିଧି
ଭାଷୀଏ କରଂତି ଲଂଘନ
ଘଟାଂତି ଭାଷା ଉନ୍ନୟନ
ବ୍ୟକ୍ତିଂକ ସର୍ଜନଶୀଳତା
ସକାଶେ ଭାଷାକୁ ଜଡ଼ତା
ପ୍ରାୟତଃ କରେନାହିଁ ଗ୍ରାସ
ବିକାଶ ହୁଅଇ କ୍ରମଶଃ
ସାମାଜିକ ଓ ସାଂସ୍କୃତିକ
ହେଲେ ହେଁ ବେଶି ଭାଗ ଲୋକ
ଦୁର୍ଲଭ ଶୁଦ୍ଧ ଜ୍ଞାନାଲୋକ
ଜାଗ୍ରତ ହୁଏନି ବିବେକ
ମନୋରଂଜନକାରୀଗଣ
କରଂତି ରୁଚି ନିର୍ଧାରଣ
ନିରୀହ ଜନସାଧାରଣ
ଦିଅଂତି କଷ୍ଟାର୍ଜିତ ଧନ
କରିଲେ ଆଶଂକା ପ୍ରଚାର
ହୁଅଇ ଆତଂକ ସଂଚାର
ଏହି ପ୍ରକାର କାରବାର
କରଂତି ବାର୍ତା ସୌଦାଗର
ମୁକ୍ତ ଓ ସୁସ୍ଥ ସମାଚାର
ନ ପାଇ ସୁସ୍ପଷ୍ଟ ବିଚାର
ଲୋକେ ହୁଅଂତି ଅସଂତୁଷ୍ଟ
ପାଆଂତି ଅବାଂଛିତ କଷ୍ଟ
ପୂଜାରୁ ଅଂତର୍ହିତ ଭକ୍ତି
ହେବାରୁ ଲୁପ୍ତ ଇଚ୍ଛାଶକ୍ତି
ଯାଂତ୍ରିକ ହୋଇ ଏବେ ବ୍ୟକ୍ତି
ପାଇପାରୁନି ସୁଖ, ଶାଂତି
ଜାବୁଡ଼ି ଧରି ବହୁ ପ୍ରଥା
ଚଳଂତି ବୋଲି ଏ ଅବସ୍ଥା
ଭୋଗଂତି ବିଶ୍ବ ନରନାରୀ
କେହି ବି ନୁହଂତି କାହାରି
ଲୋକଂକ ଦ୍ବାରା ଯାହା ସୃଷ୍ଟ
ଲୋକେ ହିଁ କଲେ ତାହା ନଷ୍ଟ
ଘୁଂଚିବ ଅଶାଂତି ଓ କଷ୍ଟ
ସ୍ବପଥ ଦିଶିବ ସୁସ୍ପଷ୍ଟ
ଯେଉଁ ପଥରେ ଯାଇ ଲୋକ
ପାଆଂତି ଏତେ ପୀଡ଼ା, ଦୁଃଖ
ସେ ପଥ ପଡ଼ି ରହିଥାଉ
ବିଶ୍ବକଲ୍ୟାଣ ଆଗ ହେଉ
ମନରେ ସତ୍ୟ ପ୍ରତି ଭୀତି
ରହିଲେ ହୁଏ ନିତି କ୍ଷତି
ସ୍ବଭାବେ ହୋଇ ଡରକୁଳା
ବ୍ୟକ୍ତି ବୁଡ଼ାଏ ନିଜ ଭେଳା
ଯେ ହୋଇପାରେ ସତ୍ୟପ୍ରିୟ
ତା ମନେ ରହେନାହିଁ ଭୟ
ଅସ୍ତ ଓ ଉଦୟ ଉଭୟ
ନୁହେ ବିଜୟ, ପରାଜୟ
Comments are closed.