Latest Odisha News

BREAKING NEWS

ଭାଷା ଭାଗବତ : ଦୁଃଖଭୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

 

ଚିଂତନ, ମନନର ଯୁଗ

ବିଲୁପ୍ତ ହେବାରୁ ଦୁର୍ଯୋଗ

ପଡ଼ିଛି ବୌଦ୍ଧିକ ସ୍ତରରେ

କେହି କିଛି କରି ନ ପାରେ

 

ଅଯଥା ମତ ଓ ମଂତବ୍ୟ

ହୋଇଛି ଏବେ ଉପଜୀବ୍ୟ

ଗୋଟିଏ ଅଧାବାକ୍ୟ ପଢ଼ି

ଲୋକେ ଲେଖଂତି ଶହେ ଧାଡ଼ି

 

ଯାହାର ନାମ ବାରଂବାର

ଫୁଟେ ଓ ଝଡ଼େ ବହୁ ଥର

ସେ ହୁଏ ସେତିକି ବିଖ୍ୟାତ

ଚିଂତକ ନାମେ ପରିଚିତ

 

ଏହି ନବୀନ କାର୍ଯଧାରା

ଦୈବାତ୍‌ ହେଲେ ପରଂପରା

ବିଶ୍ବରେ ସ୍ବାଧୀନ ଚିଂତନ

ସ୍ଥଗିତ ହେବ ବହୁ ଦିନ

 

ସ୍ବାଧୀନ ଚିଂତାର ମହତ୍ତ୍ବ

ଯଦି ହୋଇବ କେବେ ଲୁପ୍ତ

ହେବନି ପୁନରଭ୍ୟୁଦୟ

ଦୁଶ୍ଚିଂତା କରୁଛି ଅଥୟ

 

ତତ୍କାଳ ପ୍ରତିକ୍ରିୟା ଦେଇ

ଯେ ପାରେ ଉଲ୍ଲସିତ ହୋଇ

ତାହାର ଦାୟିତ୍ୱହୀନତା

ଯୋଗୁଁ ହିଁ ଏପରି ଅବସ୍ଥା

 

ଭାଷାର ଅପବ୍ୟବହାର

ଯୋଗୁଁ ଏ ସୁଂଦର ସଂସାର

ହେଉଛି ପ୍ରତ୍ୟହ ଅଶାଂତ

ଘଟୁନି ଦୁଶ୍ଚିଂତାର ଅଂତ

 

ସହଜସାଧ୍ୟ ଯୋଗାଯୋଗ

ସଂଭବ ହେବାରୁ ସୁଯୋଗ

ଏ ବିଶ୍ବ ପାଇଯିବା ଯୋଗୁଁ

ଏବେ ସଭିଏଁ ଦୁଃଖ ଭୋଗୁଁ

 

ପ୍ରତି କ୍ରିୟାର ପ୍ରତିକ୍ରିୟା

ଯେଣୁ ଅଟଇ ଏକ ଛାୟା

ତାହାର ଦ୍ବାରା ପ୍ରଭାବିତ

ହେବା ତ ନୁହେ ସମୁଚିତ

 

 

Comments are closed.