ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ସର୍ବମୂଳ ଓ ସର୍ବଶେଷ
ମନରେ ସଦା କରେ ବାସ
ଉଲ୍ଲାସ ଅବା ଅବସୋସ
ଉଭୟ କରଇ ପ୍ରକାଶ
ମନୁଷ୍ଯ ଭାଷାକୁ ଆଶ୍ରୟି
ହୋଇଛି ଏବେ ସର୍ବଜୟୀ
ଜ୍ଞାନ ବଳରେ ଚଳେ ବିଶ୍ୱ
ଭାଷା ବିହୁନେ ସର୍ବେ ନିଃସ୍ବ
ଭାଷାର ମୂଳ ଯେଣୁ ଧ୍ବନି
ସେ ସବୁ ଶୁଣି, ଚିହ୍ନି, ଜାଣି
ମଣିଷ କହିପାରେ କଥା
ଚଳାଏ ଭାଷାର ବ୍ୟବସ୍ଥା
ଧାରା, ଶୃଂଖଳା ପରାୟଣ
ହୋଇଲେ ଜନସାଧାରଣ
ବଳିଷ୍ଠ ହୁଏ ତାଂକ ଭାଷା
ପୂରଣ କରେ ବହୁ ଆଶା
ଲୋକେ ହୋଇଲେ ବିଶୃଂଖଳ
ଭାଷା ବି ହୁଅଇ ଦୁର୍ବଳ
କର୍ମାନୁରୂପ ଫଳାଫଳ
ଅମୃତ ଅଥବା ଗରଳ
ଜ୍ଞାନ, ବିଜ୍ଞାନ, କଳା, ଧର୍ମ
ପ୍ରଭୃତି ବିଷୟର ମର୍ମ
ବୁଝିବା ନିମଂତେ ମାଧ୍ୟମ
ଭାଷା ହିଁ ଅଟେ ସର୍ବୋତ୍ତମ
ଭାଷାକୁ କରିଲେ ଉପେକ୍ଷା
ଉତ୍ତମ ଶିକ୍ଷା କିଂବା ଦୀକ୍ଷା
ଗ୍ରହଣ କରେନାହିଁ ମନ
ଏହା ହିଁ ଶୁଦ୍ଧ, ସତ୍ୟ ଜ୍ଞାନ
ଭାଷା ହେଲେ ଆବେଗବାହୀ
ସାହିତ୍ୟ ରୂପେ ଥାଏ ରହି
ଭାଷାଟେ ହେଲେ ଜ୍ଞାନବାହୀ
ସମାଜ ଉନ୍ନତ ହୁଅଇ
ଭାଷା, ମଣିଷ ପରସ୍ପର
ଉପରେ କରଂତି ନିର୍ଭର
ସଂସ୍କାର ହେଲେ ନିରଂତର
ମିଳଇ ବହୁ ଉପକାର
ପରିବର୍ତିତ ହୋଇ ଭାଷା
ବଢ଼ାଏ ଭାଷୀଂକ ଭରସା
କଲେ ବ୍ୟାପକ ବ୍ୟବହାର
ଭାଷା ଯୋଗାଏ ସର୍ବସାର
ଏପରି ଭାଷା ଅଧିକାରୀ
କେବେ ବି ଯାଏନାହିଁ ହାରି
ନିଏ ସେ ଭାଷାର ଦାୟିତ୍ୱ
ସ୍ବେଚ୍ଛାରେ ହୁଏ ଭାଷାଭୃତ୍ୟ
ଏପରି ଭୃତ୍ୟ ହିଁ ସାଧକ
ହୁଏନି ଭାଷାର ବାଧକ
ଦେଖେ, ଦେଖାଏ ଭାଷାଲୋକ
ରଖେ ନିଜ ଭାଷାର ଟେକ
Comments are closed.