Latest Odisha News

BREAKING NEWS

ଭାଷା ଭାଗବତ : ଜ୍ଞାନ ଗର୍ବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ବହିଟେ ନ ପଢ଼ିଲେ କେହି
ଗ୍ରଂଥାଗାରରେ ଥାଏ ରହି
ଏଥି ପାଇଁ କରିଲେ ଗର୍ବ
ଭାଷାଟେ ହୁଏ ଆପେ ଖର୍ବ

ଲେଖକେ ଜ୍ଞାନ ରକ୍ଷାକାରୀ
ହେଲେ ହେଁ ତାହାଂକୁ ଭିକାରି
କରିଥାଆଂତି ଯେଉଁମାନେ
ରହଂତି ତୁଚ୍ଛ ଧନାରଣ୍ୟେ

ଧନର ମାନ ହେଲେ କ୍ଷୁଣ୍ଣ
ଘଟିବ ଜ୍ଞାନର ଉତ୍‌ଥାନ
ଜାତିଟେ ହେଲେ ଜ୍ଞାନାଶ୍ରିତ
ନିଶ୍ଚୟ ହୁଏ ସମୁନ୍ନତ

ଏବେ ତ ଧନର ପ୍ରାଧାନ୍ୟ
ଯୋଗୁଁ ସୁଜ୍ଞାନ ମୂଲ୍ଯହୀନ
ବୋଲି ଭାବଂତି ବହୁ ଲୋକ
ମନରେ ନାହିଁ ଜ୍ଞାନ ଭୋକ

ପ୍ରାଚୀନ ସାହିତ୍ୟାଲୋଚନା
କାମରେ ନାହିଁ କଟକଣା
ଚଳିତ କାଳର ସାହିତ୍ୟ
ତେଣୁ ତ ହେଉନି ଆଦୃତ

ଭାଷାର ଦିବଂଗତ କବି
ସଭିଏଁ ଏବେ ହୋଇ ଛବି
ସୁଦୃଶ୍ୟ କରୁଛଂତି କାଂଥ
ସତ୍ୟ ପଥରେ ନାହିଁ ପାଂଥ

ଚାଲିଛି ବହି ଲେଖା, ବିକା
ପାଠକେ ଦିଅଂତିନି ଦେଖା
ପ୍ରକାଶକ ବି ପାଇ ଟଂକା
ମନରୁ ପୋଛଂତି ଆଶଂକା

ଜ୍ଞାନର ଏ ମର୍ଯାଦାହାନି
ସଭିଏଁ ପାରିଲେ ବି ଜାଣି
କରୁନାହାଂତି ପ୍ରତିକାର
ଏପରି ଦୁର୍ଦଶା ଆମର

Comments are closed.