Latest Odisha News

BREAKING NEWS

ଭାଷା ଭାଗବତ : ମାନ ହୁଏ ମ୍ଳାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ

BjdElectrycity

ଶୁଦ୍ଧ, ଅଶୁଦ୍ଧ ମିଶାମିଶି
ଭାଷାରେ ଭାବନା ପ୍ରକାଶି
ଲେଖଂତି ସ୍ବଭାଷୀ ସୁଜନ
ବଢ଼ାଂତି ସ୍ବଭାଷାର ମାନ

ଲୋଡ଼ିଲେ ପୂର୍ଣ ବିଶୁଦ୍ଧତା
ଆମର ଭାଷାର ଜନତା
ହୁଅଂତି ଲିଖନ-ବିରାଗୀ
ଅବା ସ୍ବେଚ୍ଛାରେ ଭାଷାତ୍ୟାଗୀ

ଯାହାର ଯେତେ ପ୍ରୟୋଜନ
କରିଲେ ସେତିକି ଲିଖନ
ରହଂତା ଭାଷାର ସମ୍ମାନ
ମିଳଂତା ସୂଚନା ଓ ଜ୍ଞାନ

ଭାଷାକୁ କଲେ କଷ୍ଟସାଧ୍ୟ
ଲେଖିବା ପାଇଁ କେହି ବାଧ୍ୟ
ହୁଅଂତିନାହିଁ କେଉଁଠାରେ
ଅବ୍ୟବହୃତ ଭାଷା ମରେ

ନ ଲେଖି ଓଡ଼ିଆ ଅକ୍ଷର
ଚଳାଂତି ସବୁ କାରବାର
ଅନ୍ୟାନ୍ୟ ଲିପିକୁ ଆଦର
ଏଠାରେ ମିଳେ ନିରଂତର

କାହା ଆହ୍ବାନ ଶୁଣି କିଏ
କେବେ କି ଭାଷାପ୍ରେମୀ ହୁଏ ?
ଖୋଜିଲେ ପ୍ରଶ୍ନର ଉତ୍ତର
ଦିଶିବ ସ୍ବଭାବ ଆମର

ରାଜ୍ୟରେ ଚଳେ ବହୁ ଭାଷା
ତେବେ ବି ବଢ଼େନି ଭରସା
ବିଦେଶୀ ଭାଷାର ପ୍ରଭାବ
ସର୍ବେ କରଂତି ଅନୁଭବ

ଭାଷାର ବିବିଧ ପ୍ରକାର
ହେଲେ ହେଁ ଲୋକ ହିତକର
ଜ୍ଞାନୀଏ କରି ଅସ୍ବୀକାର
କରଂତି ଲୋକଂକୁ ଧିକ୍‌କାର

ଅତି ସଂସ୍କୃତ-ପ୍ରେମୀ ହୋଇ
କେତେ ଯେ କ୍ଷତି କରୁଥାଇଁ
କରିଲେ ଥରଟେ କଳନା
ପଡ଼ିବ ସବୁ ସତ୍ୟ ଜଣା

ସେହି ସତ୍ୟକୁ ପ୍ରତ୍ୟାଖାନ
କରିଲେ ମାନ ହୁଏ ମ୍ଳାନ
ଏହି ବିଷୟ ପ୍ରତି ଧ୍ୟାନ
ଦେବେ କି ସ୍ବଭାଷୀ ସଂତାନ ?

ମନେ ନ ଥିଲେ ଦ୍ବିଧା, ଦ୍ବଂଦ୍ବ
ମିଳଇ ନିର୍ମଳ ଆନଂଦ
ମନକୁ କରିଲେ ଆୟତ୍ତ
ବିବେକ ହୁଅଇ ଜାଗ୍ରତ

ବିବେକୀ ମଣିଷର ମନ
ହୁଏନି ଅଯଥା ଉଚ୍ଛନ୍ନ
ନିଜ କାମକୁ ଦେଇ ଧ୍ୟାନ
କରେ କର୍ତବ୍ୟ ସଂପାଦନ

Leave A Reply

Your email address will not be published.