ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଶବ୍ଦ-ଜାଲରେ ହୋଇ ଛଂଦି
କବିତା ହେଲା ଯେବେ ବଂଦୀ
କବି ତା’ ରୁଚି ଅନୁଯାୟୀ
ହେଲା ନିଜର ପ୍ରତିଦ୍ବଂଦ୍ବୀ
ଭାବିଲା ନିଜେ ମନେ ମନେ
ସେ ସତେ ସବୁକିଛି ଜାଣେ
କରିଲା ଜ୍ଞାନ ପ୍ରଦର୍ଶନ
ପ୍ରତିଭା ହେଲା ଅଂତର୍ଧାନ
ଯେଉଁ ପ୍ରକାର ଭାଷା କହି
ସଂସାରେ ଥାଏ ନିଜେ ରହି
କବିତା ଲେଖିବାର ବେଳ
ଆସିଲେ ହୁଏ ତା ଅଚଳ
କବିଏ ଲୋଡ଼ିଲେ ପ୍ରତିଷ୍ଠା
ନ ପୋଷି ନ୍ୟୂନତମ ନିଷ୍ଠା
କବି ବଡ଼, କବିତା ସାନ
ହେବା ହିଁ ଭାଷାର ବିଧାନ
ବାସ୍ତବତାରୁ ହୋଇ ଚ୍ୟୁତ
ଦେଖାଂତି ଯେପରି କବିତ୍ବ
ଭ୍ରାଂତ କଳ୍ପନାଜାତ ମିଛ
ଜଣାପଡ଼େନି ଆଗ, ପଛ
ନିଜର ଆତ୍ମତୃପ୍ତି ପାଇଁ
ଯେ ନିତି କବିତା ଲେଖଇ
ତାହାର ଜନ-ଅସଂପୃକ୍ତି
କରେ ଭାଷାର ବହୁ କ୍ଷତି
ଲେଖି ଲେଖି ଯେ ପାଏ ଶାଂତି
ତାହାର ଭାଷା ଅନୁରକ୍ତି
ହୁଏନି ଯଦି ବିସ୍ତାରିତ
କରିପାରେନି କାହା ହିତ
ଅନେକ ସହଜୀବୀ କବି
ଯାହା କହଂତି ଏତେ ଭାବି
ମିଳେନି ତା’ର ଅଗ, ମୂଳ
ବୃଥା ଚର୍ଚାରେ କଟେ ବେଳ
‘ ସହିତ ‘ ଭାବନା-ରହିତ
ଲିଖନ କିପରି ‘ ସାହିତ୍ୟ ‘
ବୋଲାଏ ଜଣା ନାହିଁ ମୋତେ
କାହାକୁ ପଚାରିବି କେତେ ?
Comments are closed.