Latest Odisha News

BREAKING NEWS

ଗଳ୍ପ : ସାମାନ୍ୟ କଥନ

ଅମିୟ ବେଜ୍ 

ମୁଁ ସବୁବେଳେ ମା’ ର ସେଇ ପ୍ରେମିକ କଥା ଭାବେ । ମୋର ଖୁବ୍ ଅଧିକ ଭାବିନେବାର ବୟସଟିଏ ହୋଇନଥିବାରୁ , କେବଳ ଏତିକି ଧାରଣା ତିଆରିପାରେ ଯେ , ଲୋକଟା ନିଶ୍ଚିତ ମାତ୍ରାଧିକ ପେଟୁ’ ହୋଇନଥିବ ଓ ଶୋଇଶୋଇ ଅତ୍ୟଧିକ କର୍ଣ୍ଣକଟୁ ଘୁଙ୍ଗୁଡ଼ି ମାରୁନଥିବ । ଏଇ ଦୁଇ ଦୁର୍ଗୁଣ ନଥିବା ମଣିଷଙ୍କ ପ୍ରତି ସ୍ତ୍ରୀ ଲୋକଙ୍କ ଶ୍ରଦ୍ଧା ଥାଏ ବୋଲି ମା’ ବାରମ୍ବାର ମୋ ଆଗରେ କହିବୁଲେ ।

ଯଦିଓ ମୁଁ ସେ ଲୋକଟାକୁ ଆଦୌ ଦେଖିପାରିନି ଅବା ମା’ ମୋତେ ସେ ସୁଯୋଗ ଦେଇନି , ତଥାପି ସିଏ ମା’ର ପ୍ରେମିକ ବୋଲି ନିଶ୍ଚିତ ହୋଇପଡେ କେମିତି ମୁଁ ?

କାରଣ , ସେଇ ବେଳମାନଙ୍କରେ ମୁଁ ପ୍ରେମକୁ ସାମାନ୍ୟ ବୁଝିଲିଣି । ଏଇ ଯେମିତି ପ୍ରତି କଥାରେ କାହାକୁ ଖୋଜିବା ବା ଲାଗିରହିବାକୁ ପ୍ରେମ କୁହାଯାଏ । ପୁଣି ସେଇବେଳେ ଉପରମୁହାଁ ହୋଇ ଚିତ୍ ଶୋଇବା ଅବା ଖୋଲା ଜଙ୍ଘ ଦେଖାଇ ବାହାରେ ବୁଲିବାପରି ଅଭ୍ୟାସକୁ ନେଇ ମା’ ମୋତେ ଆକଟ କରିବାକୁ ଲାଗିଲାଣି । ଅର୍ଥାତ ସେ ବୟସରେ ପ୍ରେମକୁ ନେଇ ମୋ ଭିତରେ କୌତୁହଳ ତିଆରି ହେବନି ବା କାହିଁକି ?

ମୁଁ ମୋ ମା’ କୁ ସନ୍ଦେହ କରେନି । ଏପରି ବ୍ୟବସ୍ଥାଟିଏ ଆମ ସମାଜ ରେ ଏପର୍ଯ୍ୟନ୍ତ ଗୃହୀତ ହୋଇନି । ଯାହା ହୁଏ , ତା’ ହେଲା ସନ୍ତାନର ଆଚରଣକୁ ନେଇ ଅଭିଭାବକମାନଙ୍କ ସନ୍ଦେହର ଆଖି ।

ଲୋକଟା ସହ କଥା ହେଉଥିବା ବେଳେ , ମୁଁ ମା’ ଆଖିରେ ଚମକ ଦେଖିପାରେ । ମା’ ର ଆଖି ଦୁଇଟି ମଧ୍ୟ ନିହାତି ତା’ପରି ସୁନ୍ଦର । କିନ୍ତୁ ଯେବେ ସେ ଲୋକଟା ସହ ଗପୁଥାଏ , ସେଇବେଳେ ତା ଆଖି ଅବର୍ଣ୍ଣନୀୟ ଓ ଦର୍ଶନୀୟ ।

ପୁଣି ଯେବେ କୌଣସି ଅଭାବନୀୟ କଷ୍ଟ ଆସି ମା’ ର ଆଖି ଦୁଇଟିରେ ପ୍ରଭାବ ପକାଏ , ସେବେ ମୋତେ ମା’ର ଆଖି ଅସୁନ୍ଦର ଦିଶେ । ଖୁବ୍ ଥକ୍କିପଡିଥିବା ଉଦାସୀ ଆଖି । ମୁଁ ଜାଣିପାରେ ସେ ଲୋକଟା ଏବେ ତା’କୁ ଖୁବ୍ କଷ୍ଟ ଦେଇ ସାମୟିକ ନିରୁଦ୍ଧିଷ୍ଟ ହୋଇଯାଇଛି ଓ ପୁଣିଥରେ ଫରି ଆସିବ ମଧ୍ୟ ।

ଋତୁ ଲେଉଟିବା ପରି ମା’ ଆଖିରେ ପୁଣି ଖୁସି ଫେରେ । ମା’ କାନ୍ଦୁ କାନ୍ଦୁ ହସେ । ଖୋଜୁଖୋଜୁ ପାଏ । ତା’ ଉଜୁଡା ଆଖିରେ କଜ୍ଜଳ ଲଗାଏ ।

ଏ ସବୁ ବିବର୍ତ୍ତନକୁ ମୁଁ ପ୍ରେମ ମନେକରେ ।

ସେତେବେଳକୁ ମା’ ମୋତେ ଶିଖାଇସାରିଲାଣି , କେମିତି ନିଜକୁ ସଫା ରଖିବାକୁ ହୁଏ । କେମିତି ନିଜକୁ ବଞ୍ଚାଇ ଘୋଡାଇ ରଖିବାକୁ ପଡେ । କେମିତି ଅନ୍ୟକୁ ଅସ୍ବୀକାର କରାଯାଇପାରେ । କେମିତି ଝିଅଟିଏ ହୋଇ ବଞ୍ଚିବାକୁ ହୁଏ ।

କେବଳ ମା’ ସମ୍ଭବତଃ ଜାଣିପାରେନି ମୁଁ ପ୍ରେମ କ’ଣ ବୁଝିପାରେ । ସେଥିପାଇଁ ସିଏ , ଲୋକଟା ସହ ମୋ ଆଗରେ ବି ସହଜ ହୋଇ ବେଧଡକ୍ ଗପିପାରେ , ହସିପାରେ , ରାଗିପାରେ , କାନ୍ଦିପାରେ , ନେହୂଲୀ-ଛେଉଲୀ ହୋଇପାରେ ଇତ୍ୟାଦି ।

ସେ ସମୟରେ ମୁଁ କରୁଥାଏ କଣ ? କାନ ଡେରୁଥାଏ ନା ଅଶୁଣା ଅଭିନୟ କରି ନିଜ ବହିଖାତା ସଜାଡୁଥାଏ ?

ପ୍ରକୃତରେ ମୁଁ ମା’ ଠୁଁ ପ୍ରେମ ବୁଝୁଥାଏ । ପ୍ରେମ ଶିଖୁଥାଏ ।

ମୁଁ ଯାହା କଥା ଆଦୌ ମନକୁ ଆଣେନି , ଯାହାର ଭୂମିକା ଆମ ମା’ଝିଅଙ୍କ ଜୀବନରେ ପ୍ରାୟତଃ ନାହିଁ , ଯିଏ ମୋତେ ଜନ୍ମ କରାଇବା ଯାଏଁ ଆଗ୍ରହ ରଖି ମା’ଠାରୁ ଅଲଗା ହୋଇଯାଇଛି , ସେ ଲୋକଟା ପ୍ରତି ମା’ ର ଉପଲବ୍ଧି ହେଲା !

– ତୋ ବାପାଙ୍କୁ ଲାଗିଲା , ମୋତେ ଭଲପାଇବା ଆସେନି । ମୁଁ ଧରି ରଖିବା ଶିଖିନି । ସେ ଆମ ହାତ ଛାଡିଦେଲେ ।

ମୁଁ ମୋ କୋମଳ ବେଳରେ କ୍ରମଶଃ ଅନୁଭବ କରୁଥିଲି , ପ୍ରେମ ଏକ ଜାଗତିକ ସତ୍ୟ । ସୌରମଣ୍ଡଳର ପ୍ରତି ସଦସ୍ୟଙ୍କ ପରି କଳି ହେଉନଥିବା ବିଶାଳପଣ ନେଇ ପ୍ରେମ ଏକ ରହସ୍ୟ ଓ ଅଦ୍ଭୁତ । ଖୁସି-ଦୁଃଖ , ରାଗ-ରୋଷ , ମିଳନ-ବିଚ୍ଛେଦ , ପ୍ରାପ୍ତ-ଅପ୍ରାପ୍ତ ର ଏକ ନାଟକୀୟ ମଞ୍ଚ । ଦେଇଥିଲେ ପାଇର ନିରୋଳା ନ୍ୟାୟ ।

ଏ ସବୁକଥା ବାପା ବୁଝିପାରିନଥିଲେ କେମିତି ? ସେ ଏଇ ସତ୍ୟକୁ ମା’ ପାଖରେ ଖୋଜିବାର ଉପକ୍ରମ କରିନଥିଲେ କାହିଁକି ?

ଛାଡ । ଯିଏ ଆମକୁ ଭୁଲିଯାଏ ତାକୁ ମନେପକାଇ ଆମେ ମହାନ ହେବା ଅବା ବନାଇବା ଏକ ଅସତ୍ୟ ବିଷୟ ।

ହଁ ! ମା’ ଯେବେ ଫଳନ୍ତି ଗଛଟିଏ ପରି ଖୁସିରେ ଲଦିହୋଇ ରହିଥାଏ , ମୁଁ ସେଇବେଳ ମାନଙ୍କରେ ଥରୁଟିଏ ଭାରି ଆଗ୍ରହରେ ପଚାରିଲି –

– ମା’ ମୋତେ ଟିକେ ତାଙ୍କ ସହ କଥା ହେବାକୁ ଦିଅନ୍ତୁନି ? ଯାହାଙ୍କ ସହ କଥାହୋଇ ତୁ ଖୁସି ହେଉ ….

ଚମକି ପଡ଼ିଲା ମା’ ଏକବେଗ୍ । ହଠାତ୍ ଗଛରୁ ପତ୍ର , ଫୁଲ , ଫଳ , ଡାଳ ଯେମିତି ଝଡିଗଲା ଭୂଇଁରେ । ଝାଞ୍ଜିପବନରେ ଶୁଖିମରି ବିବର୍ଣ୍ଣ ଦିଶିଲା ମା’ ସେଦିନ । ଫୋନ୍ ଥୋଇ ଭାରି ବିକଳ ଚାହାଣିରେ ମୋତେ କହିଲା ‘ଖବରଦାର୍’ ଓ ଶୋଇବାଘରକୁ ଫେରିଗଲା ।

ମୁଁ ବୋଧେ ସେଦିନ ସବୁଠାରୁ ଅଧିକ କଷ୍ଟ ପାଇଲି । ମୁଁ ମୋ ମା’ ର ଆଖିରୁ ଖୁସି ଛଡାଇ ନେଇଥିଲି । ଏଇ ଆତ୍ମଗ୍ଲାନି ମୋତେ ଖାଇ ଗୋଡାଉଥିଲା । ସେଇଦିନୁ ଏକ ଅଦେଖା ବ୍ୟବଧାନ ଆମ ଭିତରେ ଗଢିହୋଇଗଲା । ଢେର୍ ଦିନଯାଏଁ ଆମେ ପରସ୍ପରଙ୍କୁ ସିଧା ଚାହିଁ ପାରୁନଥିଲୁ ।

ଆମେ ସେଇ ଗୋଟାଏ ‘ଆମଘର’ ଭିତରେ ନିଜନିଜର ଅଲଗା ଦୁଇଟି ଦୁନିଆ ଗଢିନେଲୁ । ଗୋଟିଏ ମା’ ର , ଗୋଟିଏ ମୋ’ର । ସେ ବ୍ୟସ୍ତ ରହିଲା ତା ଅଫିସ କାମନେଇ , ମୁଁ ମୋ ପାଠପଢା । ମୋ ବଢୁଥିବା ଦେହମନର ଯାବତୀୟ ଦ୍ଵନ୍ଦକୁ ନେଇ ମୁଁ ନୀରବ ରହିବାକୁ ବାଧ୍ୟ ହେଉଥିଲି ।

ଶେଷକୁ ଦିନେ ଉଚ୍ଚଶିକ୍ଷା ପାଇଁ ମୋତେ ମା’ ଠାରୁ ଅଲଗା ହେବାକୁ ପଡିଲା ଯାହାର ଅଭ୍ୟାସରେ ଆମେ ଦୁହେଁ ଅଭ୍ୟସ୍ତ ହୋଇସାରିଥିଲୁ ।

ପ୍ରେମ ହୁଏନି , ଯେଯାଏଁ ପ୍ରେମକୁ ପ୍ରତ୍ୟକ୍ଷ ଭେଟି ହୁଏନି । ବରଂଚ ପ୍ରତି ମୁଲାକାତ୍ ଯେ ପ୍ରେମର ସ୍ବାକ୍ଷର ଛାଡିଦେଇ ଯାଏ ଏକଥା ଅସତ୍ୟ । ମନରେ ଏକ ପ୍ରେମପରି ଭ୍ରମ ତିଆରିହେବାରେ ଆଦୌ ଅସ୍ବାଭାବିକତା ନାହିଁ । ବସ୍ତୁତଃ ସେସବୁ ପ୍ରେମ ନୁହେଁ । ଯେଵେ ସତକୁସତ ଭେଟିବାକୁ ହୁଏ , ଭାଗ୍ୟ ମାୟା ରଚେ । ଭେଟି – ଭେଟିହୁଏନି । ପାଇ – ପାଇହୁଏନି ।

ସେଇ ସନ୍ଧିକ୍ଷଣ ହୁଏତ ପ୍ରେମ ।

ଯେବେ ମୁଁ ଅତ୍ୟନ୍ତ ମାନସିକ ସଂଘାତରେ ଥିଲି । ଚୂର୍ଣ୍ଣ- ବିଚୁର୍ଣ୍ଣ ହୋଇସାରିଥିଲି , ଖୁବ୍ ଅପମାନିତ ହୋଇ କ୍ଷତିଗ୍ରସ୍ତ ହୋଇସାରିଥିଲି ସେଇବେଳେ ମା’ ପାଖକୁ ଫେରିଲି । ଯେମିତି ପ୍ରତି ବଢିଲା ଝିଅ ନିଜ ଜନ୍ମିତ ମା’ ପାଖରେ ଶରଣ ପଶନ୍ତି । ଠିକ୍ ସେଇପରି ଦିନେ ।

– ମା’ , ଲୋକଟା ସବୁବେଳେ ମୋତେ ପ୍ରଶଂସାରେ ପୋତିଦିଏ । ବାରମ୍ବାର କହିବୁଲେ ମୋ ଭୂବନମୋହିନୀ ସୁନ୍ଦରପଣର କଥା , ମୋ ନାକ ଆଖି ପାଟି ଓଠ ଇତ୍ୟାଦି ମାନଙ୍କ କଥା , ମୋ କଣ୍ଠସ୍ବରର ଆବେଦନ କଥା , ମୋ ବ୍ୟକ୍ତିତ୍ବ କୃତିତ୍ୱ ଇତ୍ୟାଦି ନେଇ ଉତ୍ସାହିତ ହେଉଥାଏ । ମୋ ଖିଆ ଅଖିଆର କଥାପାଇଁ ବ୍ୟସ୍ତ ହୋଇପଡେ । ମୋ ସ୍ବପ୍ନରେ ତା ନିଦ ହଜେ ପୁଣି ମୋ ଭାବନାରେ ରଖି ସେ ଶୋଇପାରେ । ମୋ ଅଭିମାନରେ ବ୍ୟଥିତ ହୁଏ ତ ମୋ ଅଭିଯୋଗ ରେ ସେ ନିଜକୁ ସଜାଡିନିଏ । ମୁଁ ତାର ସକଳ ଖୁସି । ମୁଁ ତାପାଇଁ ସର୍ବୋଚ୍ଚ ସୁଖ । ସମସ୍ତଙ୍କୁ ପଛ କରି ମୋତେ ଆଗରେ ରଖେ ସେ । ତା ଜହ୍ନ ପାରିଧିରେ ମୁଁ , ତା ସକାଳ ଉଆଁରେ ମୁଁ । ହଁ ମା’ , ମୋତେ କେବେ ନଭେଟି ବି ସେ ମୋତେନେଇ ଏମିତି ଆତ୍ମସ୍ଥ ହୋଇପଡେ ।

– ଆଉ ତୁ ? ମା’ ପଚାରିଲା ଆଗ୍ରହ ନେଇ ।

– ମୁଁ ପ୍ରଭାବିତ ହୋଇପଡେ ମା’ । କେହିତ ଜଣେ ମୋତେ ନଭେଟି , ନଦେଖି ଏତେ ଆଦର କରେ , ଯତ୍ନ ନିଏ , ଭଲପାଇପାରେ , ମୋ କଥା ଶୁଣେ , ଶୁଣିବାକୁ ଅପେକ୍ଷା କରେ । ତା ବ୍ୟକ୍ତିତ୍ବ , ତା ପ୍ରତିଷ୍ଠା , ତା ପରାକାଷ୍ଠାର ସବୁତକ ଶ୍ରେୟ ସେ ମୋତେ ଦିଏ । ମୁଁ ପ୍ରଭାବିତ ହୋଇପଡେ ମା’ ….

– ତେବେ ? ମା’ ପୁଣି ପଚାରୁଥିଲା ।

– ହଁ ମାଁ , ସେଇଦିନ ଯାଏଁ , ଯେପର୍ଯ୍ୟନ୍ତ ଆମର ଭେଟ ହୋଇନଥିଲା । ମୁଁ ତା ଅତୀବ କଳ୍ପନାର ଅଧିଶ୍ବରୀ , ସେ ମୋ ରାଜକୁଅଁର । କିନ୍ତୁ ସେଦିନ …..

ମୁଁ ବୋଧେ ଆଗକୁ ଆଉ ମା’ ପାଖରେ କହିବିନି । କିଛି କହିପାରିବିନି । ଚୁପ୍ ରହିଲି ଓ କାନ୍ଦିବାକୁ ଲାଗିଲି ଖାଲି । ମା’ ଗୋଟେ ତ୍ରିକାଳଦର୍ଶୀ ପରି କହୁଥିଲା –

– ତୁମେ ଦୁହେଁ ପରସ୍ପରକୁ ଦିନେ ଏକାନ୍ତରେ ଭେଟହେବାକୁ ନିଷ୍ପତ୍ତି ନେଲ । ତୋତେ ପ୍ରତ୍ୟକ୍ଷ ଦେଖିବା ପରେ ତୋ ଉପରୁ ତାର ନଜର ହଟୁନଥିଲା । ତୋ ସୁନ୍ଦରପଣର ପ୍ରଶଂସା ନେଇ ସେ ଧିରେ ଧିରେ ଈତର ହେବାକୁ ଲାଗିଲା । ତୋତେ ଛୁଇଁବାକୁ ଚାହିଁଲା । ତୋତେ ଭୋଗିବାର ଯେଉଁ ସୁସଂଗଠିତ ଆୟୋଜନଟି ମନେମନେ ପ୍ରସ୍ତୁତ କରି ଆସିଥିଲା , ସେଇ ସୁରକ୍ଷିତ ବ୍ୟବସ୍ଥାଟି ସମ୍ପର୍କରେ ସେ ତୋତେ ବୁଝାଇବାକୁ ଲାଗିଲା । ନେହୁରା ହେଲା । ତା ପ୍ରତିଷ୍ଠାକୁ ଅଣଦେଖା କରି ସେ ନିଜର ପୌରୁଷତ୍ବ ଜାହିର୍ କରୁଥିଲା ।

ତୁ ଆଶ୍ଚର୍ଯ୍ୟ ଓ ଅସହାୟ ହୋଇପଡୁଥିଲୁ । ‘ଏସବୁ କଣ ?’ ପରି ତୋ ପ୍ରଶ୍ନରେ ସେ ଜ୍ଞାନ ବିତରଣ କରିବାକୁ ଲାଗିଲା ,

“ସମ୍ଭୋଗରହିତ ପ୍ରେମ ବୋଲି ପୃଥିବୀରେ କିଛି ନାହିଁ । ଦେବତା ବି ବାଦ୍ ପଡିନାହାନ୍ତି ଏ ଆଗ୍ରହରୁ । ଧୀରେଧୀରେ ପ୍ରେମହୁଏ । ମୁଁ ବୁଝାଇଦେବି ସବୁ । ଥରୁଟେ ଚାଲ ମୋସହ । ମୁଁ ଲେଉଟାଇଦେବି ଯାହା ଯେମିତି ଥିଲା ଠିକ୍ ସେମିତି । ଖୁସି ଦେବି । ଖୁସିରେ ରଖିବି । ”

ତୁ ସତରେ ଭାଙ୍ଗି ପଡିଲୁ । ପ୍ରଥମ ଦେଖାରେ ଜଣକର ଲକ୍ଷ୍ୟ ଏମିତି ତଳଯାଏଁ ଯାଇପାରେ କେମିତି ? ଯାହାକୁ ଏତେଦିନ ଧରି ନଦେଖି ନଜାଣି ସମ୍ମାନ ଦେଉଥିଲୁ ସେ ଯେ ଏକ ନର୍କକୀଟ ! ତୁ ହାତଛାଟି ନିଜକୁ ମୁକୁଳାଇନେଲୁ । ତୋ ପଛରେ ଗୋଟେ ବୁଲାକୁକୁର ପରି ଢେର୍ ବାଟଯାଏଁ ଗୋଡାଇ ସେ କ୍ଷମା ମାଗି ଚାଲିଥିଲା ।

ଏଥର ତୁ ତା ଉଦ୍ଦେଶ୍ୟରେ ଆକାଶକୁ ଚାହିଁ ଲେଣ୍ଡାଏ ଛେପ ଛାଟିଲୁ । ସେଠାରୁ ଫେରିବା ପରେ ତୁ ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇ ସାରିଥିଲୁ । ପ୍ରେମ ପ୍ରତି ଥିବା ତୋ କୋମଳ ଭାବନା ଟିକକରେ କିଏ ଯେପରି ଏସିଡ୍ ଢାଳିଦେଇଥିଲା । ତୋ ଆତ୍ମସମ୍ମାନ , ତୋ ସାମାଜିକ ଗୌରବକୁ ଜଣେ ଇତର ପୁରୁଷ ବିକ୍ଷିପ୍ତ କରିଦେଇଥିଲା ।

ତଥାପି ତୁ ନିଜକୁ ସମ୍ଭାଳି ନେଲୁ । ବୁଝାଇଲୁ , ବିବେକାନୁମୋଦନ ନଥିବା ସମ୍ପର୍କ , ସର୍ବଦା ଅସ୍ଥାୟୀ । କଦବାକ୍ବଚିତ୍ ବିବେକ ଉପରେ ମନ ଭାରି ପଡିଯିବାରୁ ଏପରି କ୍ଷଣସ୍ଥାୟୀ ସମ୍ପର୍କରେ ଭରସାଟିକେ ସ୍ବଭାବିକ ଆସିଯାଇଥାଏ । ସମୟକ୍ରମେ ବିବେକ ନିଜ କୌଶଳରେ ସେଥିରୁ ମନକୁ ନିବୃତ୍ତ କରାଇନିଏ । ଜୀବନ ପୁନଶ୍ଚ ସୁନ୍ଦର ହୋଇ ସଜେଇ ରୁହେ । ଜୀବନ ଜୀଇବାର ମଧୁରତା ତ ଏତିକ ।

– ମା’ ! ତୁ ପାଖାପାଖି ମୋସହ ଘଟିଥିବା ଏତେସବୁ କଥା ଜାଣିପାରିଲୁ କେମିତି ? କହ ମା ?

ମା’ ହସିଲା । କହିଲା –

“ଏସବୁ ନାରୀ ଜୀବନର ସାମାନ୍ୟ କଥନ ଝିଅ”

ପ୍ରତି ସୁନ୍ଦରୀ ନାରୀ , ପ୍ରତିଟି ନଜରକୁ ଖରାପନଜର ବୋଲି ବିବେଚନା କରିନେବା ମଙ୍ଗଳ । କାରଣ ସେମାନେ ସଭିଏଁ ଅଭିଶପ୍ତ । ତୁମେ ଗଛଟିଏ ପରି ନୀରବ ରହି କୁରାଢୀର ଚୋଟ ସହିଗଲେ , ସେମାନେ ତୁମକୁ କାଟି ଖଟପଲଙ୍କ ତିଆରି ଆରାମରେ ଶୋଇଯିବେ ।

ଆମେ ଢେର୍ ବେଳଯାଏଁ ଏଥର ଚୁପ୍ ବସିଲୁ । ମା’ ଉଠିଯାଇ କଫି ତିଆରିଲା । ମୁଁ ଟିକେ ଫ୍ରେଶ୍ ହୋଇଗଲି । ରେକର୍ଡ଼ରେ ଗୋଟେ ମିଠା ଗୀତ ବଜାଇଲି । ମୋ ଛୁଟି ଆଉ ଦୁଇଦିନ ବଢାଇ ମେଲ୍ କଲି । ମୋତେ ମା’ ସହ ସମୟ କାଟିବାର ଥିଲା । ମା’ ସେଇବେଳେ ତା ରିଟାୟର୍ମେଣ୍ଟ ଶେଷବର୍ଷ ମାନଙ୍କରେ । ଅବସର ପରେ ଆମେ ନିଶ୍ଚିତ ଏକାଠି ରହିବୁ । ମା’ କଫିକପ୍ ବଢାଇ ପଚାରିଲା –

– ବାହାହେବାକୁ ରାଜି ହେବୁ ଏବେ ?

– କ’ଣ ସମ୍ଭୋଗରହିତ ବିବାହ ସମ୍ଭବ ମା’ ?

ମୋ ଉତ୍ତର ରେ ମା’ ଓ ମୁଁ ଦିହେଁ ଖୁବ୍ ହସିଲୁ । ମୁଁ ହସରୋକି ପ୍ରଶ୍ନ କଲି ମା’କୁ ଏଥର ।

– ତୁ କଣ ତାଙ୍କୁ କେବେ ଭେଟିଛୁ ମା’ ?

– ଆବଶ୍ୟକତାଟେ ନଥିଲା ଝିଅ । ଯାବତୀୟ ସଂସାର ଜାଳ ଓ ବହୁ କଥିତ ସମାଜର ଯଥେଷ୍ଟ ଅବରୋଧ ସତ୍ତ୍ବେ , ଖୁସି କ୍ଷଣିକାକୁ ଆବିଷ୍କାର କରିନେବାର ସାମର୍ଥ୍ୟ ଈ’ ଜୀବନ ଝିଅ । ଭେଟିନେଲେ ସବୁତକ ଉଦବେଗ ସରିଯାଏନିକି ? ସତ୍ୟ ଯେଣୁ ଜଣାପଡିଯାଏ ???

– ତେବେ ମା’ ?

– ଏବେ ସୁଦ୍ଧା ଅଛନ୍ତି । ଶଯ୍ୟାଶାୟୀ ହୋଇ । ଆମେ ସୁଖଦୁଃଖ ବାଣ୍ଟୁ । ତୋ ଭବିଷ୍ୟତ ଗଢିବାରେ ତାଙ୍କର ଭୂମିକା ଯଥେଷ୍ଟ । ମୋ ବଞ୍ଚି ରହିବାର ଏକମାତ୍ର ଅଭ୍ୟାସ ସିଏ ମୋର । ମୋ ସାହାସ ବି । ଯଦି ଉଚିତ ମନେକରିବୁ କେବେଥରେ ଭେଟିବୁ ତାଙ୍କୁ । ସିଏ ନିଶ୍ଚିତ ଖୁସିହେବେ ।

– ମା’……

ଘଟଗାଁ , କେନ୍ଦୁଝର , ୯୪୩୭୬୩୧୭୧୯

Leave A Reply

Your email address will not be published.