ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ନିଜକୁ ନିଜେ କରି ନାଶ
ଅନ୍ୟକୁ ଦେଇଥାଉଁ ଦୋଷ
ସରଳ କରିଦେଲେ ଭାଷା
ବଢ଼ାଏ ବିଶ୍ବାସ ଭରସା
ଅଧିକ ଶବ୍ଦ ବ୍ୟବହାର
କରଇ ଭାବନା ସଂହାର
ଅଳପ ଶବ୍ଦ, ବେଶି ଅର୍ଥ
ରହିଲେ ରଚନା ଅବ୍ୟର୍ଥ
କେବେ ନ ହୋଇ କେହିଜଣେ
ରହିବା ହୋଇ ଜଣେ, ଜଣେ
ଯାହାର ମନ ଯେଣେ ଟାଣେ
ତାହାକୁ ଲକ୍ଷ୍ୟ ବୋଲି ମଣେ
ବ୍ୟକ୍ତି ହୋଇଲେ ଯୂଥଚର
କ୍ରମଶଃ ଆଗ୍ରହ ତାହାର
ନିଶ୍ଚୟ ହୋଇଯାଏ ମ୍ଳାନ
ନାହିଁ ଏହାର ସମାଧାନ
ପ୍ରତି ମୁହୂର୍ତ ଯିଏ ଗଣେ
ମିଳେନି ତାକୁ ବେଳ କ୍ଷଣେ
କାର୍ଯକୁ ମୁଖ୍ୟ ବୋଲି ଜାଣେ
ନିଜ ଭାଷାକୁ ଆଗ ଗଣେ
ସ୍ବକାର୍ଯ ପ୍ରତି ରଖି ନିଷ୍ଠା
ଯେ କରିଥାଏ ନିଜେ ଚେଷ୍ଟା
ତାହାର ପ୍ରୟାସ ବିଫଳ
କରିପାରେନି ମହାକାଳ
ବ୍ୟକ୍ତି ହୋଇଲେ କର୍ମମଗ୍ନ
ପଡ଼ୁ ଯେତେକ ବାଧା, ବିଘ୍ନ
ସେ କରେ ସହଜେ ଲଂଘନ
ବିଚଳିତ ହୁଏନି ମନ
ଏପରି ଦୃଢ଼ମନା ବ୍ୟକ୍ତି
ସଂକଳ୍ପ ଯୋଗୁଁ ପାଇ ଶକ୍ତି
କରେ ତା କାର୍ଯ ସଂପାଦନ
ତା ମନ ତୃପ୍ତି ପରିପୂର୍ଣ
Comments are closed.