Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୫)


2କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଏମିତି କେତେ ଦିନ, କେତେ ରାତି ତମ ଇଙ୍ଗିତରେ ଭାସିଚାଲିଲା ବେଳେ ହଠାତ୍‌ ଯେଉଁଦିନ ମୁଁ ତୁମ ସନ୍ତାନକୁ ଗର୍ଭରେ ଧାରଣ କରିଥିବା ସୂଚନା ପାଇଲି, ଭୟ ଓ ଆନନ୍ଦ ଉଭୟ ଅନୁଭବକୁ ଦୁଇ ପାଦରେ ବାନ୍ଧି ତମ ଦ୍ୱାରସ୍ଥ ହେଇଥିଲି । ସବୁ ଶୁଣିବା ପରେ ତମେ ମୋ ଗଳାରେ ଧକ୍କା ଦେଇ ବାହାର କରି ଦେଇଥିଲ । ରୋହିଣୀ ନାମ୍ନୀ ନକ୍ଷତ୍ରଟିର ଆବଶ୍ୟକତା ସେତେବେଳେ ଆଉ ତମ ଆକାଶରେ ନଥିଲା । ଯା’ର ପ୍ରତିବିମ୍ବ ବହୁ ଭଙ୍ଗୀ ନେଇ ଦିନେ ତୁମ ଚକ୍ଷୁରେ ପ୍ରତିବିମ୍ବିତ ହୋଇଉଠୁଥିଲା; ସେଇ ମୁର୍ହୂରେ ସେ ବିଲୀନ ହୋଇଗଲା ।

ଭଗ୍ନ ମନୋରଥ ହୋଇ ଘରକୁ ଫେରିବାବେଳେ ସେଇ ମଧ୍ୟରାତ୍ରିରେ ସମାଜ ଆଖିରେ ପଡ଼ି ମୁଁ ପତିତା ହେଇଗଲି । ମୋ ହୃଦୟର ସମସ୍ତ ଆବେଦନକୁ ପଦାଘାତ କରି ତମେ ବିବାହ କରିଥିଲ ଅନ୍ୟଜଣକୁ । ମତେ ପ୍ରଲୋଭିତ କରିବା ପାଇଁ ଯେଉଁ କ୍ଷଣିକ ହର୍ଷର ଶାରୀକୁ ତମେ ମୋ ଭିତରେ ସୃଷ୍ଟି କରିପାରିଥିଲ, ସେ ଶାରୀ ଆଜି ତୁମ ଆଖିରେ ଅଶ୍ରୁ ହୋଇ କାହିଁକି ଝରୁଛି ? ତୁମ ଆଖିରେ ଯେତେବେଳେ ଜଗତ ସ୍ୱପ୍ନିଳ ଥିଲା, ମୁହୂର୍ତ୍ତଟିଏ ପାଇଁ ତୁମେ ଭାବିଥିଲ ଯେ ଦିନେ ଖାଲି ଘର… ଶୂନ୍ୟ ଅନ୍ତର… ଅପମାନିତ ଜୀବନ ନେଇ ତୁମେ ବିଦଗ୍‌ଧ ହେବ ? ଆଜି ତୁମକୁ ଦେଖି ମୋ ମନରେ ସାମାନ୍ୟତମ ଦୟା ନାହିଁ… ସହାନୁଭୂତି ନାହିଁ… ଅଛି ଆତ୍ମସନ୍ତୋଷ । ତମେ ଦଗ୍‌ଧ ହୁଅ… କଷ୍ଟ ପାଅ… । ମୁଁ ତେବେ ଯାଉଛି… ପ୍ରୋଗ୍ରାମ ସମୟ ହୋଇଗଲାଣି… ଗୁଡ଼ ବାଏ… ।

ନୁପୂର ନିକ୍ୱଣର ତାଳେ ତାଳେ ଫେରିଗଲା ରୋହିଣୀ । ପଲଙ୍କର ମଧ୍ୟ ଭାଗକୁ ଗଡ଼ି ଆସିଲେ ଚନ୍ଦ୍ରଭାନୁ । ଏତେବେଳଯାଏ ସେ ତେବେ ସ୍ୱପ୍ନ ଦେଖୁଥିଲେ । ହୃଦୟ ଭିତରେ ଗୋପନୀୟ ଭାବେ ରଖିଥିବା ଦିନଲିପିଟିକୁ ସେ ପୁଙ୍ଖାନୁପୁଙ୍ଖ ଭାବେ ଓଲଟାଇଲେ ।

ନାଁ, ଏ ସବୁ ସ୍ୱପ୍ନ ନୁହେଁ… ତାଙ୍କ ଜୀବନର ନିରାଟ ସତ୍ୟ । ଜଣ ଜଣ କରି ସମସ୍ତଙ୍କୁ ସେ ତାଙ୍କ ଜୀବନକୁ ଆଣିଛନ୍ତି । ଖେଳି ଖେଳି ଶେଷରେ ପଡ଼ିଆ ମଝିରେ ପରାଜିତ କରି ଛାଡ଼ିଦେଇ ସମାଜରେ ପ୍ରତିଷ୍ଠିତ ନିଜର ସ୧ାନିତ କୋଠରୀକୁ ସେ ଫେରି ଆସିଛନ୍ତି । କିନ୍ତୁ ମୀନାକ୍ଷି ଆଜି ତାଙ୍କୁ ପରାଜିତ କରିଛି । ସେ ରାଜଧାନୀର ସବୁ ପରିଚିତଙ୍କୁ ଜଣାଇ ଦେବାକୁ ସଂକଳ୍ପ କରିଯାଇଛି ଯେ ଚନ୍ଦ୍ରଭାନୁ ଜଣେ ଚରିତ୍ରହୀନ କାପୁରୁଷ ।

କ୍ରମଶଃ

Leave A Reply

Your email address will not be published.