Latest Odisha News

BREAKING NEWS

ଭାଷା ଭାଗବତ : ଭାଷାର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପରିବର୍ତନ ନିରଂତର
ଅଟଇ ଚରିତ୍ର ଭାଷାର
କିଛି ବି ନୁହେ ଏଠି ସ୍ଥାୟୀ
ବଦଳେ କାଳ ଅନୁଯାୟୀ

ଚିତ୍ର ଓ ଅକ୍ଷର ମଧ୍ୟରେ
କେତେ ଯେ ଭେଦ ଥାଇପାରେ
କରିଲେ ତାହା ଅଧ୍ୟୟନ
ବୁଝିବା ସ୍ପଷ୍ଟ ଭାଷା ଜ୍ଞାନ

ସଂପୂର୍ଣ ଭାଷାର ସଂସାର
ଯେଣୁ ବିଶାଳ ପାରାବାର
ଜାଣିପାରିନୁ ଏ ପର୍ଯଂତ
ତାହାର ଆଦି ଆଉ ଅଂତ

ଭାଷାଂଶ କରୁଁ ବ୍ୟବହାର
ଯାହାକୁ ଯେତେ ଦରକାର
ମନର ଭାବ ତହିଁ ଭରି
ସଂସାରେ ଥାଉଁ ଘର କରି

ଭାଷାନୁଭୂତି ଯୋଗୁଁ ଶିଶୁ
କେବେ ବି ହୁଏନାହିଁ ପଶୁ
ସ୍ବଭାଷା ଶୁଣେ, ତେଣୁ କହେ
ସଂସାରେ ଶିଷ୍ଟ ହୋଇ ରହେ

ଶବ୍ଦକୋଷ ଓ ବ୍ୟାକରଣ
ନିଜର ମନରେ ଧାରଣ
କରି ସେ ଭାଷାବଂତ ପ୍ରାଣୀ
ଏ ସତ୍ୟ ଅନ୍ୟଥା ହୁଏନି

ସ୍ବାନୁଭୂତିରୁ ଭାଷା ପାଇ
ସେ ପାରେ ଶୁଣି ଆଉ କହି
ସମାଜେ କଲେ ଅବସ୍ଥାନ
ଆପେ ମିଳଇ ଭାଷା ଜ୍ଞାନ

ଶିକ୍ଷାନୁଷ୍ଠାନ ବିଦ୍ୟାଳୟ
ଦିଅଂତି ଲିପି ପରିଚୟ
ସେଠାରେ ପଢ଼ି ଆଉ ଲେଖି
ଶିଶୁଟି ପାରେ ଲିପି ଶିଖି

ଶବ୍ଦର ଧ୍ବନି ସ୍ବାଭାବିକ
ପିଲା ବେଳେ ଶିଖଂତି ଲୋକ
ଏହି ପ୍ରକ୍ରିୟା ଅବିରତ
ଚାଲି କରୁଛି ଭାଷାହିତ

Comments are closed.