ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପାଠକେ ନ କଲେ ଆଦର
ଲେଖକ ଲୋଡ଼େ ପୁରସ୍କାର
କରେ ଯାହା ବି ଦରକାର
ଏମିତି ଦଶା ସାହିତ୍ଯର
ନିଜର ଲେଖାକୁ ବିଶ୍ବାସ
ନ କରି, ହୁଏ ଯେ ହତାଶ
ଛପା ହେଲେ ବି ତା’ର ବହି
ପାଠକ ଖୋଜି ପଢ଼େନାହିଁ
ଅତି ଅଧିକ ଯଶେଷଣା
କରି ଲେଖକ ହୁଏ ବଣା
ଏକୁଟିଆ ହେବାକୁ ଡରି
କିଛି ବି ପାରେନାହିଁ କରି
ବିଶ୍ବର ଯେତେ ନୀତିବାଣୀ
ପାଠକ ଭୁଲେ ପଢ଼ି, ଶୁଣି
ଲେଖକ ଚିଂତା କରେନାହିଁ
ଅନ୍ୟର କଥା ଦିଏ କହି
ପୁନର୍ଲିଖନ ବାରଂବାର
କରିବା ଅଭ୍ୟାସ ଯାହାର
ସେ ହୁଏ ପକ୍କା ଶବ୍ଦଚୋର
ନିଜତ୍ବ ନ ଥାଏ ତାହାର
ପୁସ୍ତକ ଯାହାର ପ୍ରେରଣା
ହେଲେ ହେଁ ଅନୁଭୂତି ଊଣା
ଲେଖିଲେ ସର୍ବଜ୍ଞାତ କଥା
ଦିଶେନି ଚଳିତ ଅବସ୍ଥା
ପାଣି ନ ପିଇ, ନୀର ପାନ
କରିଚାଲିଲେ ଘନଘନ
ଘଟେ କି ଭାଷା ଉନ୍ନୟନ ?
ନିଜକୁ ପଚାରୁଁ ଏ ପ୍ରଶ୍ନ
କଷ୍ଟିଆ ପ୍ରତିଶବ୍ଦ ଖୋଜି
ନିଜ ଲେଖାରେ ଦେଲେ ଖଂଜି
ଦିଶେ ଶାବ୍ଦିକ ଆଡ଼ଂବର
ହୁଏନି ଭାବନା ସଂଚାର
ଶବ୍ଦସର୍ବସ୍ବ ପଦାବଳି
ଯାତ୍ରୀବିହୀନ ଯାନ ଭଳି
ପଥରେ ଯାଏ ସିନା ଗଡ଼ି
ଭାବନା ଥାଏ ମନେ ପଡ଼ି
ଭାବ ଓ ଜ୍ଞାନର ବାହକ
ନ ହେଲେ, ଭାଷା ନିରର୍ଥକ
ଦୁର୍ବୋଧ୍ୟ ଧ୍ବନି ଓ ଅକ୍ଷର
କରିପାରେନି ଉପକାର
Comments are closed.