Latest Odisha News

BREAKING NEWS

ଭାଷା ଭାଗବତ : ଜୟ, ପରାଜୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପ୍ରୟାସ ରଖିଲେ ବି ଜାରି
ଯଦିବା ଯାଏ କେହି ହାରି
ହାରିଲେ ପୁଣି ଚେଷ୍ଟା କରି
ହୁଏ ବିଜୟ ଅଧିକାରୀ

ପରାଜୟରୁ ନେଇ ଶିକ୍ଷା
ଉଦ୍ୟମ କଲେ ଏକା ଏକା
ବିଜୟ ହୁଏ ସୁନିଶ୍ଚିତ
ଏ ସତ୍ୟ ବହୁ ପ୍ରମାଣିତ

ଅନେକ ଥର ପରାଜୟ
ପରେ ବି ମନ ରଖି ଥୟ
ଯିଏ ହୁଏ ପ୍ରୟାସରତ
ତା’ର ଜିତିବା ସୁନିଶ୍ଚିତ

ଚେଷ୍ଟାରୁ ନ ନେଇ ବିରତି
ଲଢ଼ିଲେ ଜିଣିପାରେ ବ୍ୟକ୍ତି
ତାହାର ଅଂତର୍ଗତ ଶକ୍ତି
ଦିଅଇ ଚେଷ୍ଟାକୁ ସ୍ବୀକୃତି

ନ ହୋଇ ମୋଟେ ଦ୍ବିଧାଗ୍ରସ୍ତ
ଯେ ଲାଗେ ପାରିବା ପର୍ଯଂତ
ଉଭେଇଯାଏ ମନୁ ଭୟ
ସେ ନିଶ୍ଚେ ଲଭଇ ବିଜୟ

ବିଜୟ ଆଉ ପରାଜୟ
ଭୋଗଂତି ଯୋଦ୍ଧା ସମୁଦାୟ
କରଂତି କର୍ତବ୍ୟ ପାଳନ
ଅନ୍ୟ ଆଡ଼େ ନ ଦେଇ ଧ୍ୟାନ

ଭାଷାରେ ନିଜ ଅଭିବ୍ୟକ୍ତି
ନିଜକୁ ଦିଏ ଯେଉଁ ଶକ୍ତି
ତାହା ଅଟେ ଅତୁଳନୀୟ
ଲେଖିବା ପାଇଁ କିଆଁ ଭୟ ?

ଯେ ଜାଣେ ମନୋଭାବ ଲେଖି
ନିଜ ଲେଖାରୁ ନିଜେ ଶିଖି
କରେ ଆପଣା କାର୍ଯାବଳି
ସଂସାରେ ସୁଖେ ରହେ ଚଳି

ନିଜର ଗୁରୁ ହୋଇ ନିଜେ
ଯେ କେବେ ଶିଷ୍ୟକୁ ନ ଖୋଜେ
ତାହାର ଲେଖା ବାକ୍ୟାବଳି
କ୍ବଚିତ୍‌ ପଡ଼ିଥାଏ ଟଳି

Leave A Reply

Your email address will not be published.