ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଚାରିଥାକିଆ ଯୁକ୍ତାକ୍ଷର
ଓଡ଼ିଆ ନିମଂତେ ଦୁର୍ଭର
ନିଷ୍କ୍ରିୟ, ଅଷ୍ଟ୍ରିଆ, ତାନ୍ତ୍ରିକ
‘ ସ୍କ୍ରୁଟିନି ‘, ତେଜସ୍କ୍ରିୟ ଦେଖ
ଏଭଳି ଶବ୍ଦ ଶିଖେ ଶିଶୁ
ମଥାରେ ପଶୁ କି ନ ପଶୁ
ତିନିଥାକିଆ ଯୁକ୍ତାକ୍ଷର
ରହିଛି ଅନେକ ପ୍ରକାର
କାହ୍ନୁ, ଉନ୍ମୁକ୍ତ, ବସ୍ତୁ, ସ୍ମୃତି
ଶିଖିଲେ, ଲିଖନ ପ୍ରବୃତ୍ତି
ସତେ ହୁଏନି ବଳବତୀ
ଅଳପ ଲାଭ, ବେଶି କ୍ଷତି
ଉନ୍ମୂଳନ ଓ ଜୀବନ୍ମୃତ
ଶବ୍ଦ ଲେଖିଲେ ସ୍ପୃହା ହତ
ସାନ୍ତ୍ବନା, ଏଣ୍ଡୁଅ ଓ ଆଣ୍ଠୁ
ଶିଖି କେ ହୁଏ ଭାଷାପଟୁ ?
କ୍ରୂର, ବିଦ୍ରୂପ, ଦ୍ରୁତ, ଭ୍ରୂଣ
ଲେଖିଲେ ଭାଷାରେ ନିପୁଣ
ନିସ୍ପୃହ, ନିଷ୍ପ୍ରାଣ ଶିକ୍ଷଣ
ଅଟଇ ବୃଥା ଅକାରଣ
ଏପରି ଜଂଜାଳୁଁ ନିଷ୍କୃତି
ପାଇଁ ମିଳିନି ପ୍ରତିଶ୍ରୁତି
ଏ ଭାଷା ଲୋଡ଼ୁଛି ଶୁଶ୍ରୂଷା
ବିସ୍ତୃତ ହେଉ ଏହି ଆଶା
ଭାଷୀଏ ହୋଇବା ପ୍ରସ୍ତୁତ
କରି ମନକୁ ଉଚ୍ଛ୍ବସିତ
ଏହା ତ ଅଟେ ଧ୍ରୁବ ସତ୍ୟ
ଉଜ୍ଜ୍ବଳ ହେବ ଭବିଷ୍ଯତ
ଛୁଆଂକୁ ଦେଇ ଏତେ କଷ୍ଟ
ଭାଷାଗ୍ରହ ହିଁ କରୁଁ ନଷ୍ଟ
ସବୁଠି ଦିଶୁଛି ସୁସ୍ପଷ୍ଟ
ଆମେ ସଭିଏଁ ପଥଭ୍ରଷ୍ଟ
ଭାଷୀଏ ହେଲେ ଉଚ୍ଛୃଂଖଳ
ମିଳେନି ହିତକର ଫଳ
ଓଡ଼ିଆ ଛୁଆ ହିଁ କେବଳ
ହୁଅଂତି ଭାଷାରେ ଦୁର୍ବଳ
ସହଜ, ସରଳ ସ୍ବଭାଷା
ପିଲାଂକ ଉପରେ ଭରସା
ନ କରି, ଭୋଗୁଛି ଦୁର୍ଦଶା
ଭାଷା ହେଉଛି ଲୋକହସା
Comments are closed.