ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପିଲାର ମାତା ଆଉ ପିତା
ହୋଇଲେ ଭାଷା ରକ୍ଷାକର୍ତା
ନିଶ୍ଚିହ୍ନ ହୋଇବ ଦୁଶ୍ଚିଂତା
ପିଲେ ପାଇବେ ସ୍ବାଧୀନତା
ଶିଶୁର ଜନନୀ, ଜନକ
ହୋଇଲେ ସ୍ବେଚ୍ଛାରେ ଶିକ୍ଷକ
ସହଜେ ମାତୃଭାଷା ଜ୍ଞାନ
ଶିଶୁଟି କରଇ ଅର୍ଜନ
ଛୁଆର ମାଆ ଆଉ ବାପା
ନ ହେଲେ ଅକାରଣ ଖପା
ଛୁଆକୁ ଦେଲେ କିଛି ବେଳ
ସ୍ବଭାଷା ହୁଏନି ଦୁର୍ବଳ
ଅଧିକ ଆକଟ, ବାରଣ
କରେ ପିଲାଂକୁ ହଇରାଣ
ମାଆ, ବାପାଂକୁ ଡରି ଡରି
ଯାଏ ଶୈଶବ ଆପେ ସରି
ସଂସ୍କାର ଶିଖାଇବା ପାଇଁ
କୌଣସି ବିଦ୍ୟାଳୟ ନାହିଁ
ମାଆ, ବାପାଂକ ଆଚରଣ
ଶିଶୁଟେ କରେ ଆହରଣ
ଟିକିଏ ବଡ଼ ହେବା ପରେ
ନିଜର ବ୍ୟକ୍ତିତ୍ୱ ପ୍ରସାରେ
ନ କଲେ ତାକୁ ଉତ୍ସାହିତ
ଆଗ୍ରହ ହୋଇଯାଏ ମୃତ
ଆଚରଣ ଓ ଉଚ୍ଚାରଣ
ପାର୍ଥକ୍ଯ ବୁଝି ଶିଶୁଗଣ
ଗଢ଼ଂତି ନିଜ ମନୋବୃତ୍ତି
ତାହା ହିଁ ବୋଲାଏ ସଂସ୍କୃତି
ଏବେ ତ ମାଆ, ବାପା ବ୍ୟସ୍ତ
ରହଂତି ସ୍ବକାର୍ଯ ସହିତ
ପିଲା ସଂଭାଳେ ଅନ୍ୟ ଜଣେ
ତାହାକୁ ଗୁରୁ ଭଳି ମାନେ
ଭୃତ୍ୟର ସାହଚର୍ଯ ପାଇ
ପିଲାଟି ଧୀରେ ବଡ଼ ହୋଇ
କରଇ ଆଦେଶ ପାଳନ
ପଚାରି ପାରେନାହିଁ ପ୍ରଶ୍ନ
Comments are closed.