ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଧନୀ ଓ ଜ୍ଞାନୀଂକର କୁଂଠା
ସହ ରହେନି ଭାଷାନିଷ୍ଠା
ବୃଥା ହୁଏ ସମସ୍ତ ଚେଷ୍ଟା
କେହି ନୁହଂତି ଦୂରଦ୍ରଷ୍ଟା
ବାସ୍ତବତାରୁ ହୋଇ ଚ୍ୟୁତ
ସେମାନେ ଅତି ଉଲ୍ଲସିତ
ହୋଇ ରହଂତି ଆତ୍ମଲୀନ
ଦେଖଂତି ଅଳୀକ ସପନ
ଅନୁକରଣକାରୀ ହେଲେ ଜଣେ
ମୌଳିକତାକୁ ନ୍ୟୂନ ମଣେ
ଗଣେ ସର୍ବଦା ଲାଭ, କ୍ଷତି
ଏପରି ହୁଏ ତା’ର ମତି
ଅବଶ୍ୟ ଆର୍ଥିକ ଉନ୍ନତି
ସହିତ ସ୍ବାର୍ଥିକ ପ୍ରଗତି
ଘଟିଲେ ସୁଦ୍ଧା ଅବିରତ
ହୁଅଂତି ଅପରର ଭୃତ୍ୟ
ନିଜେ ହୋଇ ନିଜର ଦାସ
ଇଚ୍ଛିତ କାର୍ଯ କରି ଶେଷ
ପାଆଂତିନାହିଁ ଯେଣୁ ତୃପ୍ତି
ମନରେ ଘୂରୁଥାଏ ଭ୍ରାଂତି
ନିଜର କର୍ତବ୍ୟ ପାଳନ
ନ କରିପାରି ପ୍ରତି ଦିନ
ଲୋଡ଼ଂତି ଖ୍ୟାତି ସଂମାନ
ଏପରି ବିତାଂତି ଜୀବନ
ନିଜର ପରିଚୟ ଲୋପ
କରିବା ଭଳି ମୂଳ ପାପ
ସହିତ ହୁଅଂତି ସଂଶ୍ଳିଷ୍ଟ
ପାଆଂତିନାହିଁ ଦୁଃଖ, କଷ୍ଟ
ଏପରି ମନୋବୃତ୍ତିଧାରୀ
ହେଲେ ହେଁ କ୍ଷମତାଧିକାରୀ
ନ ହୋଇ କାହା ଉପକାରୀ
ବୁଢ଼ା ହୋଇ ଯାଆଂତି ମରି
ସର୍ବଦା ଶିଶୁ ପରି ଶୋଷି
ହୋଇପାରଂତି ଯେଣୁ ଖୁସି
ଏହି ସଂସାରୁ ସବୁ ନେଇ
କିଛି ବି ପାରଂତିନି ଦେଇ
Comments are closed.