ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୫୩
ଆତ୍ମବିଶ୍ୱାସଧାରୀ ଲୋକ
ନ ଖୋଲି ସୁଦ୍ଧା ନିଜ ମୁଖ
କରେ ନିଜର କାମତକ
ତହିଁରୁ ପାଇଥାଏ ସୁଖ
ଅଯଥା ଖୋଲିଦେଲେ ପାଟି
ନାନା ବିଭ୍ରାଟ ଯାଏ ଘଟି
ଅନ୍ୟ କେହି ସେ କଥା କାଟି
ଚର୍ଚାକୁ କରିଦିଏ ମାଟି
ଶବ୍ଦ କହିଲେ ଗଣି ମାପି
ଯାଏ ତା ବହୁ ଦୂର ବ୍ୟାପି
ବକ୍ତା ନ ବୁଝିଲେ ତଥାପି
ଭାବ ନ ସଂଚରେ କଦାପି
କଥା କହିଲେ ଅନର୍ଗଳ
ବକ୍ତା ହିଁ ହୁଅଂତି ବିହ୍ବଳ
ଶ୍ରୋତା ପାଏନି ଥଳକୂଳ
ସଭାରେ ସଭିଏଁ ବିକଳ
ଏ ପ୍ରଥାଧୀନ ଆଲୋଚନା
ଉପରେ ଲୋଡ଼ା କଟକଣା
ଭାଷୀଏ କରଂତୁ ବିଚାର
ଅଛି କି ନାହିଁ ଦରକାର
କହିଲେ ସର୍ବଜଣା କଥା
ସୁଧୁରିଯାଏନି ବ୍ୟବସ୍ଥା
ମାନିବା ପାଇଁ ଶ୍ରୋତା ନାହିଁ
କେହି ଥକୁନି କଥା କହି
କଥାମୟ ଏ ଗୋଟା ଦେଶ
ସ୍ବାଧୀନ ଚିଂତାର ବିନାଶ
ନିମଂତେ ସର୍ବଦା ତତ୍ପର
ନାହିଁ କି କିଛି ଉପଚାର ?
Comments are closed.