Latest Odisha News

BREAKING NEWS

ଶିଶୁ ଗଳ୍ପ : ଗୁରୁଜୀଙ୍କ ପରୀକ୍ଷା

ସୁନିତା ପ୍ରଧାନ 

ଅନେକ ଦିନ ତଳର କଥା। ସେତେବେଳେ ଏବେପରି ବିଦ୍ୟାଳୟ ନଥିଲା। ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ ଋଷି ଆଶ୍ରମକୁ ଯାଉଥିଲେ। ସେଠାରେ ନିଜର ସମସ୍ତ ଶିକ୍ଷା ସମାପ୍ତ ହେବା ପରେ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ।

ସେମିତି ଏକ ଘନ ଜଙ୍ଗଲ ମଧ୍ୟରେ ଜଣେ ଋଷିଙ୍କ ଆଶ୍ରମରେ ଅନେକ ଶିଷ୍ୟ ଆସି ପଢ଼ୁଥିଲେ। ଗୁରୁଜୀ ସେମାନଙ୍କୁ ବୈଦିକ ଶିକ୍ଷା ସହ ଅନ୍ୟାନ୍ୟ ଶାରୀରିକ ଶିକ୍ଷା ମଧ୍ୟ ଦେଉଥିଲେ। ଏମିତି ଅନେକ ଦିନ ବିତିଗଲା। ଶିଷ୍ୟମାନଙ୍କ ଶିକ୍ଷାଦାନ ସମାପ୍ତ ହେବା ଉପରେ। ଦିନେ ଋଷି କୌଣସି କାମରେ ଆଶ୍ରମ ଛାଡି ବାହାରକୁ ଯିବାକୁ ଚାହିଁଲେ। ଯିବା ପୂର୍ବରୁ ସେ ଆଶ୍ରମର ଦାୟିତ୍ୱ କାହାକୁ ଦେବେ ସେଇ ଚିନ୍ତାରେ ପଡିଗଲେ। କାରଣ ଆଶ୍ରମର ସମସ୍ତ ଶିକ୍ଷାର୍ଥୀ ସବୁ ବିଦ୍ୟାରେ ନିପୁଣ ଥିଲେ। ସମସ୍ତ ବିଦ୍ୟାରେ ସମସ୍ତେ ଏକକୁ ଆରେକ ବଳି ତାହା ମଧ୍ୟରୁ କିଏ ଶ୍ରେଷ୍ଠ ? କିଏ ଆଶ୍ରମ ଦାୟିତ୍ୱ ଠିକ ଭାବେ ତୁଲାଇ ପାରିବ !ଅନେକ ସମୟ ଚିନ୍ତା କରିବା ପରେ ଋଷି ଟିକିଏ ପ୍ରସନ୍ନ ଦେଖାଗଲେ।

ତା ପରଦିନ ସକାଳୁ ସକାଳୁ ଗୁରୁ ସମସ୍ତ ଶିଷ୍ୟଙ୍କୁ ଡାକିଲେ ଏବଂ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ତମ୍ବା ଢାଳ ଧରେଇ କହିଲେ,”ଏ ଢାଳ ସବୁ ନେଇ ନଦୀରେ ଭଲ ଭାବେ ସଫା କରି ଆଣ। ଯାହାର ଢାଳ ଯେତେ ଅଧିକା ଚକଚକ କରିବ ମୁଁ ତାକୁ ଆଶ୍ରମର ଦାୟିତ୍ୱ ଦେଇ କିଛି ଦିନ ପାଇଁ ବାହାରକୁ ଯିବି।”

ଗୁରୁଜୀଙ୍କ କଥା ଶୁଣି ସମସ୍ତ ଶିଷ୍ୟ ଢାଳକୁ ନେଇ ମାଟି ,ତେନ୍ତୁଳି ସାହାଯ୍ୟରେ ଘଷି ମାଜି ସଫା କରିବାରେ ଲାଗିଲେ। କିଛି ସମୟ ପରେ ସମସ୍ତ ଶିଷ୍ୟ ଫେରି ଆସି ଗୁରୁଜୀଙ୍କୁ ନିଜ ନିଜ ତମ୍ବା ଢାଳଟି ବଢ଼େଇ ଦେଲେ। ଗୁରୁଜୀ ସମସ୍ତଙ୍କ ଢାଳ ଦେଖିଲେ। ସମସ୍ତଙ୍କ ଢାଳ ଖୁବ ଉଜ୍ଜ୍ୱଳ ଦିଶୁଛି। କିନ୍ତୁ ସମସ୍ତଙ୍କ ଢାଳ ଦେଖିବା ପରେ ଗୁରୁଜୀଙ୍କ ମୁଖ ମଣ୍ଡଳ ରେ ବିଷର୍ଣ୍ଣ ଭାବ ଛାଇ ଗଲା। ଏହି ସମୟରେ ମଧୁ ନାମକ ଗୋଟିଏ ଶିଷ୍ୟ ଆସି ନିଜର ଢାଳଟି ଗୁରୁଜୀଙ୍କୁ ବଢ଼େଇଦେଲା। ଗୁରୁଜୀ ମଧୁର ଢାଳ ଦେଖିବା ମାତ୍ରେ ତାଙ୍କ ମୁହଁରେ ସ୍ମିତ ହାସ୍ୟ ଫୁଟି ଉଠିଲା।

ସେ ଏଥର ସମସ୍ତ ଶିଷ୍ୟଙ୍କୁ ଡାକି କହିଲେ,”ଦେଖ ବତ୍ସ । ତୁମେ ସବୁ ଢାଳ ଗୁଡିକ ଖୁବ ସୁନ୍ଦର ଭାବେ ସଫା କରିଛ। କିନ୍ତୁ ଟିକିଏ ଲକ୍ଷ୍ୟ କର ତୁମ ମାନଙ୍କ ଢାଳ ଓ ମଧୁର ଢାଳ।”

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ! ଗୁରୁଜୀ କହିଲେ ତୁମେ ସବୁ ଢାଳର ବାହାର ପଟ ଟି ଅତି ସୁନ୍ଦର ଭାବେ ସଫା ସିନା କରିଦେଲ କିନ୍ତୁ ଭିତର ପଟଟା…. ମଧୁ କିନ୍ତୁ ଢାଳର ଉଭୟ ପଟ ଖୁବ ସୁନ୍ଦର ଭାବେ ସଫା କରିଛି।

ଏଥିରୁ ଗୋଟିଏ କଥା ବୁଝିବା ଉଚିତ ଯେ ମନୁଷ୍ୟ ନିଜେ ଯେତିକି ମଧ୍ୟ ବାହ୍ୟ ସୌନ୍ଦର୍ଯ୍ୟ, ଶିକ୍ଷା ଦୀକ୍ଷାର ଅଧିକାରୀ ଥିଲେ ମଧ୍ୟ ତା ହୃଦୟ ଯଦି ସଫା ନାହିଁ ସେ ଜଣେ ଉପଯୁକ୍ତ ମଣିଷ ନୁହଁ। ମଣିଷ ର ହୃଦୟରେ ଅନ୍ୟମାନଙ୍କ ପ୍ରତି ଦୟା, ସ୍ନେହ, କ୍ଷମା ପ୍ରେମ ଆଦି ରହିବା ଉଚିତ। ହିଂସା ରାଗ, କ୍ରୋଧ ଅହଂକାର ଶୁନ୍ୟ ହେବା ଉଚିତ। ବାହାରକୁ ଆମେ ଯେମିତି ସୁନ୍ଦର ଦେଖା ଯିବା ହୃଦୟ ଭିତରୁ ମଧ୍ୟ ଆମେ ସେତିକି ସ୍ୱଚ୍ଛ ଓ ନିର୍ମଳ ହେବା ଉଚିତ।

ଏଥର ସମସ୍ତ ଶିଷ୍ୟ ଗୁରୁଙ୍କ କହିବାର ତାତ୍ପର୍ଯ୍ୟ ବୁଝି ପାରିଥିଲେ । ସେମାନେ ଶପଥ କରିଥିଲେ ଯେ ନିଜ ମନରୁ ରାଗ,ହିଂସା କ୍ରୋଧ ଆଦି ଭଳି ଆବିଳତା ଦୂର କରିବେ। ଗୁରୁଜୀ ମଧୁ ହାତରେ ଆଶ୍ରମର ଦାୟିତ୍ବ ଦେଇ କିଛି ଦିନ ନିଶ୍ଚିନ୍ତରେ ରହିପାରିବେ ଏ କଥା ଭାବି ସ୍ୱସ୍ତିରେ ନିଶ୍ୱାସ ମାରିଲେ।

ଲକ୍ଷ୍ମୀପୁର
କୋରାପୁଟ

Comments are closed, but trackbacks and pingbacks are open.