ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପୁସ୍ତକ କାଗଜ ନିର୍ମିତ
ବସ୍ତୁ ଭାବରେ ବିବେଚିତ
ହେବାରୁ ଥିଲେ ସୁଦ୍ଧା ରହି
ପାରୁନି ସ୍ବଜ୍ଞାନ ବଢ଼ାଇ
ଅଲୋଡ଼ା ହେବାରୁ ପନିକି
କେମିତି ଲାଗିଛି କଳଂକି
ଏହା ସଭିଏଁ ଦେଖି ଦେଖି
ମାଜି ଓ ପୋଛି ଦେଉଛୁଁ କି ?
କଥାରୁ ମିଳୁନି ବିଶ୍ରାମ
କେତେବେଳେ କରିବା କାମ?
କବି ସହିତ କବି ମିଶି
ପାଆଂତି ବହୁବିଧ ଖୁସି
ଏପରି ହୋଇଛି ସ୍ବଭାବ
କିପରି ଘୁଂଚିବ ଅଭାବ ?
ସେ ସୂତ୍ର କିଏ ବତାଇବ ?
ଏକାକୀ ହୋଇ ଥରେ ଭାବ
ନୂଆ ପ୍ରକାର ଚିଂତା କରି
ପାରିବା ଅବସ୍ଥା ସୁଧାରି
କରିଲେ ନିଜକୁ ବିଶ୍ବାସ
ହେବନି ଭାଷାର ବିନାଶ
ଆତ୍ମବିଶ୍ୱାସ ବୃଦ୍ଧି ପାଇଁ
ମନେ ସ୍ଥିରତା ଉପୁଜାଇ
ଜିଭରେ ରଖୁଁ ମୂଳମଂତ୍ର
ହାତକୁ କରୁଁ ଲିପି-ଯଂତ୍ର
କଂଠକୁ ମିଳିଲେ ବିଶ୍ରାମ
ଅଂଗାଦି ହେବେ କାର୍ଯକ୍ଷମ
ଯାହା ଇଚ୍ଛିବା ତାହା କରି
ନିଜ କର୍ତବ୍ୟ ଦେବା ସାରି
ଏବେ ତ ମତାସକ୍ତ ହୋଇ
ଗୋଷ୍ଠୀ ମଧ୍ୟରେ ସ୍ଥାନ ପାଇ
ହେଉଛୁଁ ଅତି ଉଲ୍ଲସିତ
କେ ନାହୁଁ ନିଜର ସହିତ
ପ୍ରୟୋଜନରୁ ଅତି ବେଶି
ଦ୍ରବ୍ୟାଦି କିଣି ହେଉଁ ଖୁସି
ସେ ସବୁ ହୋଇଲେ ବିକ୍ଷିପ୍ତ
ବୋଲାଉଁ ଧନୀ ଓ ଶିକ୍ଷିତ
ବସ୍ତୁ ନ କଲେ ବ୍ୟବହାର
ହୁଏନି ସୁବିଧା କାହାର
ସଭିଏଁ ଥାଉଁ ସବୁ ଜାଣି
କିଂତୁ ପାରୁନୁ କେବେ ମାନି
ସ୍ବଭାଷା ଥିଲେ ସୁଦ୍ଧା ମନେ
ଯଦି ନ ଶୁଭେ, ଦିଶେ ଦିନେ
ତାହା ତ ନ ଥିବା ସମାନ
ଏ ସତ୍ୟ, ନୁହେ ଅନୁମାନ
Comments are closed.