Latest Odisha News

BREAKING NEWS

ଭାଷା ଭାଗବତ : କାହାର ସହିତ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୫୭

ଏତଦ୍‌ବ୍ୟତୀତ ଏହାଛଡ଼ା
କେଉଁ ଶବ୍ଦଟି ଏବେ ଲୋଡ଼ା
ଏତଦ୍ଦ୍ବାରା କି ଏହାଦ୍ବାରା
କେଉଁଟି ଚଳେ ଭାଷା ସାରା?

ଅଗୋଚର ଅର୍ଥ ଅଜଣା
ଅଗ୍ରିମ ଅର୍ଥ ତ ବଇନା
ଊର୍ଦ୍ଧ୍ୱ ଉପର ବୋଲି ଜଣା
ତଦ୍ରୂପ ସେହିପରି ଗଣା

ଅଜସ୍ର ବୋଇଲେ ବହୁତ
ରହିବା କାହାର ସହିତ
ଅଯଥା ଶବ୍ଦ ଆଡ଼ଂବର
ହୋଇନି କେବେ ହିତକର

ଲୋକଭାଷାକୁ ଦେଇ ଛାଡ଼ି
ସାହିତ୍ୟ ରହିଅଛି ପଡ଼ି
ଆଗକୁ ପାରୁନାହିଁ ବଢ଼ି
ଶିଖର ପାରୁନାହିଁ ଚଢ଼ି

ସବୁଠୁ ସହଜିଆ ଶବ୍ଦ
ବାଛି ଲେଖିଲେ ପଦ୍ୟ ଗଦ୍ୟ
ଲୋକେ ପାରଂତେ ଲେଖା ବୁଝି
ପଢ଼ଂତେ ହୋଇ ଶୀଘ୍ର ରାଜି

ଲୋକଂକ ସହିତ ସାହିତ୍ୟ
ରହିଲେ ହୁଏ ଶବ୍ଦାମୃତ
ଏହା ତ ସର୍ବଜଣା କଥା
କେହି ନ ବୁଝିବା ଅନ୍ୟଥା

ଶାସ୍ତ୍ରୀୟ ଧାରା ବଂଦନୀୟ
ସ୍ଥାନୀୟ ରୀତି ନିଂଦନୀୟ
… ଏ ମନୋଭାବ ଅସଂଗତ
ଉଭୟ ରହଂତି ଜୀବଂତ

ଶାସ୍ତ୍ରୀୟ ସଂଗୀତ ସହିତ
ତୁଳିତ ନୁହେ ଲୋକଗୀତ
କେ ନୁହେ କାହାର ବଇରୀ
ସାହିତ୍ୟ ସଂଗୀତ ସବୁରି

ଭାଷାର ସ୍ତର ଓ ପ୍ରକାର
ସଭିଏଁ କରିଲେ ସ୍ବୀକାର
ପ୍ରାଚୀନ ସହିତ ନୂତନ
ଥିବ ସବୁଠି ସବୁଦିନ

ପ୍ରୟୋଗ ଅଧିକ ବ୍ୟାପକ
କରଂତି ଯଦି ବହୁ ଲୋକ
ସାହିତ୍ୟ ହୁଏ ଲୋକପ୍ରିୟ
ନ ରହେ ବିଲୟର ଭୟ

ଅଜ୍ଞାନ ସଂଗେ ଜ୍ଞାନୀ ବସି
ପାରିବେ ଭାବନା ପ୍ରକାଶି
ସାହିତ୍ୟ ହେବ ବହୁମୁଖୀ
ଆମେ ସଭିଏଁ ତାର ସାକ୍ଷୀ

ଲୋକତୁଂଡର କଥା ଶୁଣି
ପୃଷ୍ଠାରେ ଦେବା ଲିପି ବୁଣି
ଲେଖିବା ଗୀତ ଓ କାହାଣୀ
ଲୋକଂକ ସହ ମିଶି ପୁଣି

Leave A Reply

Your email address will not be published.