ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅନେକ କଥାକୁ ଉପେକ୍ଷା
ନ କଲେ, ସୁନିର୍ଦିଷ୍ଟ ଶିକ୍ଷା
ଗ୍ରହଣ କରିହୁଏନାହିଁ
ଏ ସତ୍ୟ ବୁଝୁଁ ମନ ଦେଇ
ଏକାଗ୍ର-ଚିତ୍ତ ହେଲେ ବ୍ୟକ୍ତି
ବଢ଼ାଇ ବିଷୟାନୁରକ୍ତି
ସହିତ ନିଷ୍ଠା ଆଉ ଧୈର୍ଯ
ସଂପନ୍ନ କରେ ନିଜ କାର୍ଯ
ସବୁ ଆଡ଼କୁ ନେଲେ ମନ
କୌଣସି ବିଷୟକୁ ଧ୍ୟାନ
ଦେବା ହୁଅଇ ଅସଂଭବ
ଅଚିରେ ଭାଂଗିଯାଏ ଦଂଭ
ଯିଏ ନିଜକୁ ଯାହା ଭାବେ
ତାହା ତ ହୁଏନାହିଁ କେବେ
ତେବେ ବି ଆତ୍ମ-ପ୍ରଶଂସକ
ହୁଅଇ ନିଜର ସ୍ତାବକ
ମନରୁ ଅସ୍ଥିରତା ଦୂର
କରିବା ପ୍ରବୃତ୍ତି ଯାହାର
ସେ କରେ ସ୍ବକାର୍ଯ ସାଧନ
ତାହା ହିଁ ତା’ର ଅବଦାନ
ଅନେକ ଲେଖାବହି ପଢ଼ି
ତହିଁରୁ ବାକ୍ୟାବଳି କାଢ଼ି
କରିଲେ ପୁନଶ୍ଚ ଲିଖନ
ବଢ଼େନି କେବେ ନିଜ ଜ୍ଞାନ
ଅନ୍ୟକୁ ଅଯଥା ଗୁରୁତ୍ବ
ଦେଲେ, ହୁଏନି ନିଜ ହିତ
କିଂବା ସାମାନ୍ୟ ଆତ୍ମୋନ୍ନତି
ଏ ସତ୍ୟ ବୁଝେ ସ୍ଥିରମତି
ସବୁ କରିବା ପାଇଁ ରାଜି
ହେବାର ଅଭ୍ୟାସ ବରଜି
ଯିଏ ବି ହୁଏ ଅଂତର୍ମୁଖୀ
ହୋଇଥାଏ ନିଶ୍ଚୟ ସୁଖୀ
ନିଜେ ନିଜର ପ୍ରଭୁ, ଭୃତ୍ୟ
ଉଭୟ ହୋଇଲେ ବ୍ୟକ୍ତିତ୍ବ
ଆପେ ହୁଅଇ ପ୍ରକଟିତ
ଏହା ତ ଅମିଶ୍ରିତ ସତ୍ୟ
ନିଜକୁ ନ କରି ସଂଦେହ
ଆଖିରୁ ନ ଝରାଇ ଲୁହ
ସଂଯତ କଲେ କ୍ରୋଧ, କୋହ
ସ୍ଥିତି ହୁଏନି ଭୟାବହ
Comments are closed.