ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଂସାରେ ମନୁଷ୍ଯ ଜୀବନ
ରହେନି ଯେଣୁ ବେଶି ଦିନ
କେହି ବି କରେନି ଅର୍ଜନ
ବିଶ୍ବରେ ଅଛି ଯେତେ ଜ୍ଞାନ
ତେଣୁ ବାଛି ନିଜର ରୁଚି
ଜ୍ଞାନାଂଶ ପାଇ ରହୁଁ ବଂଚି
ନ ହେଲେ ସୁଦ୍ଧା ପରିପୂର୍ଣ
କରଇ ଉନ୍ନତି ସାଧନ
ସବୁ ଆଡ଼କୁ ଦେଇ ଧ୍ୟାନ
କରିଲେ ଜୀବନ ଯାପନ
ଖଂଡିତ ହୁଏ ଯେଣୁ ମନ
ମିଳେନି ସ୍ପଷ୍ଟ ସମାଧାନ
ଏଥି ଯୋଗୁଁ ତ ବିଶେଷଜ୍ଞ
ହୋଇଥାଆଂତି ସ୍ଥିତପ୍ରଜ୍ଞ
ନିଜ ସୀମାରେ ସଦା ରହି
ପାରଂତି ଉପକାରୀ ହୋଇ
ମଣିଷ ନୁହଇ ସର୍ବଜ୍ଞ
ବୁଝଂତି ଅଭିଜ୍ଞ ଓ ବିଜ୍ଞ
କେବଳ ଅଳ୍ପଜ୍ଞ ମନୁଷ୍ଯ
କହେ ସେ ଆରଂଭ ଓ ଶେଷ
ପୂର୍ଣ ଜ୍ଞାନର ପରିସର
ଯେହେତୁ ବିସ୍ତୃତ ଗଭୀର
କୌଣସି ବ୍ୟକ୍ତିର ଅଧୀନ
ହୋଇପାରେନି ପୂର୍ଣ ଜ୍ଞାନ
ଯାହା ଯେତିକି ଥାଏ ଜଣା
ସେତିକି ନୁହେ ଯେଣୁ ଊଣା
ଜ୍ଞାନାଂଶ ପାଇ ବି ସଂତୁଷ୍ଟ
ବ୍ୟକ୍ତି କରେନି ଜ୍ଞାନ ନଷ୍ଟ
ନ କଲେ ଜ୍ଞାନର ପ୍ରୟୋଗ
ମିଳେନି ଉତ୍ତମ ସୁଯୋଗ
ଏତିକି କରି ଅନୁଭବ
ସୁଖରେ ରହିବା ସଂଭବ
ଯେତିକି ଜ୍ଞାନ ଥାଉଁ ପାଇ
ସେତିକି କାମରେ ଲଗାଇ
ବ୍ୟକ୍ତି ଚଳିଲେ ଅବିରାମ
ସଂସାର ହୋଇବ ଉତ୍ତମ
ଭାଷାକୁ ଲୋଡ଼ା ଟିକେ ନିଷ୍ଠା
ଲୋକଂକ ସଂପୃକ୍ତି ଓ ଚେଷ୍ଟା
ଏତିକି କରିବା ନିମଂତେ
ଏଣିକି ଲାଗିବା ସମସ୍ତେ
Comments are closed.