ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆମ ଭାଷାର ବହୁ ରୂପ
କିଛି ବି ହେବନି ବିଲୋପ
ଭାଷା ଯେହେତୁ ମହାରଣ୍ୟ
ସଭିଂକୁ ମିଳେ ସେଠି ସ୍ଥାନ
ଗଛ, ବୁଦା ଓ ଘାସ, ତୃଣ
ବନରେ ସଭିଂକ ଆସ୍ଥାନ
ସଭିଏଁ ରହିଲେ ଜୀବଂତ
ଅରଣ୍ୟ ହୁଏ ପ୍ରାଣବଂତ
ସ୍ବଭାଷା ନୁହେ ଗୃହୋଦ୍ୟାନ
ତହିଁର ବୃଦ୍ଧି ନିର୍ଧାରଣ
ନୁହେ ସ୍ବଭାଷୀଂକର କାମ
ଏହା କରୁଁ ହୃଦୟଂଗମ
ନିଜ ଭାଗର କାମ ସାରି
ହୋଇପାରିବା ହିତକାରୀ
ଏକାଂଚଳୀୟ ଭାଷା ପ୍ରତି
ସର୍ବାଂଚଳରେ ନାହିଁ ପ୍ରୀତି
ସ୍ବଭାଷା ଲେଖିବାକୁ ଭୟ
ନ କଲେ, ହେବ ସମନ୍ବୟ
ପରସ୍ପରକୁ ଦେଇ, ନେଇ
ସଭିଏଁ ସମୁନ୍ନତ ହୋଇ
ସବୁ ଭାଷାକୁ ସମଭାବ
ଦେଲେ ହିଁ ହଟେ ଭେଦଭାବ
ଏହି ପ୍ରକାର ସହିଷ୍ଣୁତା
ବଢ଼ାଏ ଭାଷା ଗୁଣବତ୍ତା
ଶବ୍ଦର ଆଦାନ ପ୍ରଦାନ
ହେଲେ ବି ବାକ୍ୟ, ପଦ ମାନ
ହୁଅଂତି ପରିଚୟ ଚିହ୍ନ
ଭାଷାଟେ ହୁଏନି ନିଶ୍ଚିହ୍ନ
କରିଲେ ଭାବନା ପ୍ରକାଶ
ଘଟଇ ଭାଷାର ବିକାଶ
ବ୍ୟବହାର ନ କଲେ ଭାଷା
ଜାତିଟେ ହୁଏ ଲୋକହସା
ଲୋକଭାଷାକୁ ଲୋକମାନେ
ପ୍ରୟୋଗ କଲେ ସବୁ ସ୍ଥାନେ
ସଂଭବ ବ୍ୟାପକ ବିସ୍ତାର
ସଂଗ୍ରାମ ନୁହେ ଦରକାର
Comments are closed.