Latest Odisha News

ଭାଷା ଭାଗବତ : ସାହିତ୍ୟେତର ବିଷୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଗବେଷଣାରୁ ପ୍ରାପ୍ତ ଫଳ
ଭାଷାକୁ କରେନି ସବଳ
ଗବେଷକଂକୁ ମିଳେ ଖ୍ୟାତି
ଭାଷା କରେନି ଅଗ୍ରଗତି

ସାହିତ୍ୟ ଛଡ଼ା କିଛି ଭିନ୍ନ
ନ କଲେ ଏବେ ଅଧ୍ୟୟନ
ଭାଷାର ମାନ ହେବ ମ୍ଳାନ
କରିହେଉଛି ଅନୁମାନ

କଥିତ ଭାଷାକୁ ଉପେକ୍ଷା
କରିଲେ ମିଳେନି ସୁରକ୍ଷା
ଏହା ହେଲେ ହେଁ ସର୍ବଜ୍ଞାତ
ବୁଝେନି ଜ୍ଞାନୀଂକର ଚିତ୍ତ

ଯାହା ବି ସରଳ, ସୁସ୍ପଷ୍ଟ
ତା ପ୍ରତି ନ ହେଲେ ଆକୃଷ୍ଟ
ସାହିତ୍ୟ ହୁଏ ପଥଭ୍ରଷ୍ଟ
ଲିଖିତ ଭାଷା ହୁଏ ନଷ୍ଟ

ଏବେ ବି ପୂର୍ବରୀତି ଧରି
ଲେଖକେ କଲେ ଗାରାଗାରି
ଦିଶଇ ଶବ୍ଦ ଆଡ଼ଂବର
ହୁଏନି କାହା ଉପକାର

ଅଯଥା ଜ୍ଞାନ ପ୍ରଦର୍ଶନ
ନିମଂତେ ଆଗ୍ରହୀ ସୁଜନ
ହୁଅଂତିନାହିଁ ସ୍ବାଭାବିକ
ରହେନି ସ୍ବଭାଷାର ଟେକ

ସାହିତ୍ୟ ରଚନା ବ୍ୟତୀତ
ଅନ୍ୟାନ୍ୟ ବିଷୟ ସହିତ
ଲେଖକେ ନୁହଂତି ଜଡ଼ିତ
ଭାଷାର ସ୍ଥିତି ବିଡ଼ଂବିତ

‘ ଏତଦ୍‌ବ୍ୟତୀତ ‘, ‘ ଏହା ଛଡ଼ା ‘
ମଧ୍ୟରୁ କେଉଁଟି ଅଲୋଡ଼ା
ତାହା କରିଲେ ଏବେ ସ୍ଥିର
ଦିଶିବ ଲୋକଂକର ସ୍ବର

ମଲାଟ ଦିଶେ ଚମତ୍କାର
ଅନ୍ୟାନ୍ୟ ପୃଷ୍ଠା ନାରଖାର
ହୋଇଲେ କୌଣସି ଭାଷାର
ବଢ଼େନି ମର୍ଯାଦା, ଆଦର

ପ୍ରତ୍ୟକ୍ଷ ସଂପର୍କର ଅଂତ
ସତରେ ଘଟିବା ପର୍ଯଂତ
କିପାଇଁ କରିବା ପ୍ରତୀକ୍ଷା
କରିପାରିବା ଯଦି ରକ୍ଷା

ମିଳୁଛି ଯେତେ ଯଂତ୍ରପାତି
ସଦ୍‌ଭାବ ଥିଲେ ସବୁ ପ୍ରତି
ସୁରକ୍ଷା ପାଇବ ସଂପର୍କ
ଅନାବଶ୍ୟକ ଯୁକ୍ତିତର୍କ

କାହାର ଘରକୁ ନ ଯାଇ
ତା ସହ ନ ଖାଇ, ନ ପିଇ
ଜାଣିପାରିବା ତା’ର ଦଶା
ବଢ଼ାଇ ପାରିବା ଭରସା

ସମର୍ଥକଂକୁ କହି ବ୍ୟଥା
କରିଲେ ସମ୍ମାନ ବ୍ୟବସ୍ଥା
ତାହା ତ ପ୍ରାୟୋଜିତ ଯଶ
ତହିଁରୁ ମିଳେ କି ସଂତୋଷ ?

Leave A Reply

Your email address will not be published.