ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କଥିତ ଓ ଲିଖିତ ଭାଷା
ମଧ୍ୟରେ ନାହିଁ ମିଳାମିଶା
ତେଣୁ ଏ ଭାଷାର ଦୁର୍ଦଶା
ସଂଚାର କରୁନାହିଁ ଆଶା
ଯେଉଁ ଭାଷାରେ କଥା କହୁଁ
ସେ ଭାଷା ଯେଣୁ ଲେଖୁନାହୁଁ
ପଢ଼ିଲେ ସୁଦ୍ଧା କେତେ ଲୋକ
ସେ ସବୁ ଲାଗେ ନିରର୍ଥକ
ଯାହା ହୁଏନି ମୋଟେ ବୁଝି
ତାହାର ଅର୍ଥ ଗଲେ ଖୋଜି
ବିଶାଳକାୟ ଅଭିଧାନ
ଦେଖିଲେ ଘୁଂଚିରହେ ମନ
ଲୋକସ୍ମୃତିରେ ଯାହା ନାହିଁ
ତାହାକୁ ବହିରୁ ଗୋଟାଇ
ପୁଣି ଥରେ ଦେଲେ ବି ଲେଖି
ପାଠକେ ବୁଝିପାରଂତି କି ?
ଲେଖକ ହୋଇ ସ୍ବେଚ୍ଛାଚାରୀ
ପୁରୁଣା ପୋଥିରୁ ଉତ୍ତାରି
ଚଳିତ ଭାଷାକୁ ପାସୋରି
ହୁଅଂତି ସ୍ବଭାଷା-ସଂହାରୀ
ଅନେକ ଶବ୍ଦଧାରୀ କୋଷ
ସୂଚାଂତି ଭାଷା ଇତିହାସ
ତାହାକୁ ଏବେ ଜୀବନ୍ୟାସ
ଦେବାରେ ବେଳ ହୁଏ ଶେଷ
ବୁଝି ନ ହେବା ଭଳି ଶବ୍ଦ
ଲେଖିଲେ ଭାଷାକୁ ବିପଦ
ସର୍ବଦା କରିଥାଏ ଗ୍ରାସ
ପ୍ରମାଣ ଦିଏ ଇତିହାସ
ଯେଉଁ କାଳେ ଓ ସ୍ଥଳେ ବାସ
କରୁଛୁଁ, ତହିଁରୁ ସାହସ
ସଂଗ୍ରହ କରିପାରୁନାହୁଁ
ତେଣୁ ତ କାଳଚ୍ୟୁତ ହେଉଁ
Comments are closed.