Latest Odisha News

ଭାଷା ଭାଗବତ : ର୍ନ ଓ ର୍ଣ୍ଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

[ ଦୁର୍ନାମ, ଦୁର୍ନୀତି, ନିର୍ନିମେଷ, ଦୁର୍ନିବାର, ଅଂତର୍ନିହିତ ଭଳି ଶବ୍ଦରେ ତ ର୍ଣ୍ଣ ଲାଗେନାହିଁ!

ବର୍ନ୍‌ୱାର୍ଡ, ପପ୍‌କର୍ନ୍‌, ଫର୍ନେସ୍‌, ଫର୍ନିଚର୍ସ, ଅର୍ନାମେଂଟ୍‌, ଟୁର୍ନାମେଂଟ୍‌, ଗଭର୍ନର୍‌, ହର୍ନ, ଟର୍ନିଂ, ବର୍ନର୍‌, କର୍ନର୍‌, କାଲିଫର୍ନିଆ ଲେଖିବା ପାଇଁ କାହିଁକି ର୍ଣ୍ଣ ବ୍ୟବହାର କରୁଥିବା?
ମନେ ରଖିବା : ଇଂଲିଶ୍‌ ଭାଷାରେ ଣ, ର୍ଣ, ର୍ଣ୍ଣ ଆଦୌ ଉଚ୍ଚାରିତ ହୁଏନାହିଁ। ଓଡ଼ିଆରେ ସୁଦ୍ଧା ର୍ଣ୍ଣ ଦିଶେ, କିଂତୁ ର୍‌ଣ୍‌ଣ ଉଚ୍ଚାରଣ ହୁଏ କି? ]

ଲିପିକୁ କଲେ କଷ୍ଟକର
ହୁଏନି ଭାଷାର ବିସ୍ତାର
ଥିଲେ ହେଁ ଅନେକ ପ୍ରମାଣ
ଆମେ ଦେଉନୁ ତାକୁ ଧ୍ୟାନ

କେବଳ ପାଳୁଥାଉଁ ପ୍ରଥା
ତେଣୁ ତ ଏପରି ଅବସ୍ଥା
ଆମେ ନ ହେଲେ ସମୀଚୀନ
ସ୍ବଭାଷା ହୋଇବ ନିଶ୍ଚିହ୍ନ

ପ୍ରଥମେ ବଦଳିଲେ ବ୍ୟକ୍ତି
ତା’ପରେ ଗୋଷ୍ଠୀର ସଂପୃକ୍ତି
ବଢ଼େ ନିଶ୍ଚୟ ଛାଏଁ ଛାଏଁ
ପରିବର୍ତନ ଗତି ପାଏ

ବ୍ୟକ୍ତି ବୁଝି ତତ୍କାଳ କରେ
ଗୋଷ୍ଠୀ ବୁଝଇ ଧୀରେ ଧୀରେ
ଯେ କରେ ସଂସ୍କାର ଆରଂଭ
ରଖେ ମନରେ ଧୈର୍ଯ, ଦଂଭ

ବ୍ୟକ୍ତି ପଛରେ ଗୋଷ୍ଠୀ ଲାଗି
ହୁଅଂତି ଯେବେ ସହଯୋଗୀ
ଅନେକେ ହେଲେ ଉପକୃତ
ସଂସ୍କାର ହୁଏ ସମାଦୃତ

ପରଂପରା ବଡ଼ କି ଭାଷା
କେ ନୁହେଁ କାହାର ସରିସା
ଉଭୟ ଗଲେ ହେଁ ବଦଳି
କିଛି ପଡ଼େନି କେବେ ଟଳି

ଲିପି ଲିଖନ କଷ୍ଟସାଧ୍ୟ
ହେବାରୁ ପିଲେ ହୋଇ ବାଧ୍ଯ
ହୁଅଂତି ସ୍ବଲିପି ବିରାଗୀ
କେହି ନୁହଂତି ସହଯୋଗୀ

ହାଇ ସ୍କୁଲ୍‌ ପାଠପଢ଼ା ପରେ
କିଏ ଏ ଭାଷା ଲେଖିପାରେ
ଥରଟେ କରିଲେ ଗଣନା
ସବୁ ସତ ପଡ଼ଂତା ଜଣା

 

Comments are closed.