ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଯେତେ ମଥାକୁ ସେତେ କଥା
ତହିଁରେ ନ ଥାଏ ସମତା
ଯିଏ ଯେମିତି ବୁଝେ, ଜାଣେ
ତାହା ହିଁ ସର୍ବଶୁଦ୍ଧ ମଣେ
ଅନେକ ଶୁଦ୍ଧରୂପୀ ଶବ୍ଦ
କୌଣସି ଭାଷାର ସଂପଦ
ବୋଲାଇ ହେଲେ ଭିନ୍ନ ଭିନ୍ନ
ଘଟେନି ଦ୍ରୁତ ଉନ୍ନୟନ
ସଂଭ୍ରାଂତ ଅଥବା ସମ୍ଭ୍ରାନ୍ତ
ଉଦ୍ଭ୍ରାଂତ ଅବା ଉଦ୍ଭ୍ରାନ୍ତ
ଯେଉଁଟି ସ୍ପଷ୍ଟତଃ ସରଳ
ତାହା ହିଁ ସ୍ବଭାଷାର ବଳ
ଆମର ଜଟିଳତା-ପ୍ରୀତି
କଲେ ହେଁ ଅବିରତ କ୍ଷତି
ସଂପ୍ରତି ସରଳତା ପ୍ରତି
ଢଳୁନି ଲେଖକଂକ ମତି
ସ୍ଥିତି ହେଲେ ବି ଶୋଚନୀୟ
କାହା ମନେ ବିଲୁପ୍ତି ଭୟ
ଏଯାଏଁ ହୋଇନାହିଁ ଜାତ
ଏହା ହିଁ ସମସ୍ୟା ପ୍ରକୃତ
ଲେଖକେ ହୋଇ ଯଶଲୋଭୀ
ଆଗ କଥା ମୋଟେ ନ ଭାବି
ପଛ ସହିତ ରହି ଲାଖି
ଭାଷାର ସେବା କରଂତି କି ?
ଏ ପ୍ରଶ୍ନ ନୁହେ ପ୍ରୀତିପ୍ରଦ
ସୂଚାଏ ଆସନ୍ନ ବିପଦ
ତେଣୁ ତ ଲୋଡ଼ା ସଦୁତ୍ତର
ମିଳିଲେ ହେବ ହିତକର