Latest Odisha News

BREAKING NEWS

ଭାଷା ଭାଗବତ : ଭାଷା ତ ଅଦୈବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ 

ଦଂଡିତ ନ ହେବା ପର୍ଯଂତ

ସୁବୁଦ୍ଧି ହୁଏନି ଜାଗ୍ରତ

ନିଜର ମତ ରଖି ମନେ

ଚଳିବାନାହିଁ କି କାରଣେ

 

ଭାଷାକୁ ନ କଲେ ଆୟୁଧ

ଲେଖକେ ହୁଅଂତି ପ୍ରବୁଦ୍ଧ

ଭାଷା ବି ହୁଅଇ ସମୃଦ୍ଧ

ଅଯଥା ସବୁ ବାକ୍ୟ-ଯୁଦ୍ଧ

 

ବ୍ୟକ୍ତି ନିଜର ସବୁ ସୀମା

ଜଗିଲେ, ଜାଗେ ତା ମହିମା

ସ୍ବୀକାର୍ଯ ହୁଏ କାଳକ୍ରମେ

ନ ପଡ଼େ ଅନ୍ୟ କେଉଁ ଭ୍ରମେ

 

ନିଜର କ୍ଷେତ୍ର ନିରୂପଣ

କରି ଜିଇଁବା ଏ ଜୀବନ

ଦୂରେ ରହିଲେ ପ୍ରୀତି ବଢ଼େ

ନିଜ ଭୂଇଁରେ ଲୋଟେ, ଗଡ଼େ

 

ଏହା ତ ପଡ଼ୁଥାଏ ଜଣା

ତେବେ ବି କରୁଥାଉଁ ମନା

ବାସ୍ତବତାକୁ ଅସ୍ବୀକାର

କରିଲେ, ନାହିଁ ପ୍ରତିକାର

 

ଏହାକୁ କହୁଛୁଁ ଗୌରବ

ଏମିତି ହେଲାଣି ସ୍ବଭାବ

ସ୍ବୀକୃତ ବାହାର ପ୍ରଭାବ

ଅଲୋଡ଼ା ନିଜ ଅନୁଭବ

 

ଇତିହାସରେ କରି ବାସ

କରୁଛୁଁ ଭବିଷ୍ଯତ୍‌ ନାଶ

ଚଳିତ ସଦ୍ୟ ବର୍ତମାନ

ପାଉନି ନ୍ୟୂନତମ ଧ୍ୟାନ

 

ବୌଦ୍ଧିକ ନିଶ୍ଚିହ୍ନତା ଏବେ

ଘଟିଛି ଜାଣିଲେ ବି ସର୍ବେ

କେହି କରୁନୁ ପ୍ରତିକାର

ଏପରି ଆମ ବ୍ୟବହାର

 

ବିରାଗୀ ଲୋକଂକୁ ଉପେକ୍ଷା

କରିଲେ ଭାଷାକୁ ସୁରକ୍ଷା

ଯୋଗାଇଦେବେ ଆମ ଲୋକ

ସର୍ବେ ଦେଖିବା ଜ୍ଞାନାଲୋକ

 

ଭାଷା ତ ମୂଳତଃ ଅଦୈବ

ଯାହା କରିବା, ତାହା ହେବ

ସଂକୀର୍ଣ ଅବା ବିସ୍ତାରିତ

ଉନ୍ନତ ଅବା ଅନୁନ୍ନତ

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.