ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ପୃଷ୍ଠାବଳି ଅକ୍ଷର-କାରା
ଏ ଶାସ୍ତି ଯେହେତୁ ଅସରା
ଅକ୍ଷର ରହେ ହୋଇ ବଂଦି
ସାରା ଜୀବନ କାଂଦି କାଂଦି
ପୃଷ୍ଠାରୁ ମୁକୁଳିବା କଳା
ନ ଜାଣି ଅକ୍ଷର ବାଉଳା
ହୋଇ ବିତାଂତି ସାରା ଦିନ
ସର୍ବଦା ସହି ଅପମାନ
କବି, ଲେଖକ ଅତ୍ୟାଚାରୀ
ହୁଅଂତି ଭାବନା ସଂହାରୀ
ବର୍ଣାବଳିକୁ ଜୀବନ୍ୟାସ
ଦେବାକୁ ଦୁର୍ଲଭ ସାହସ
ସାହିତ୍ୟ ବର୍ଣ-ବଂଦିଶାଳା
ତେଣୁ ବୁଡ଼େ ଭାବର ଭେଳା
ଅକ୍ଷରାଚ୍ଛନ୍ନ କବିଗଣ
ନୁହଂତି ସର୍ବସାଧାରଣ
ରଚନାକାରୀ ରଚୟିତା
ନାଟକ, ଗଳ୍ପ ଓ କବିତା
ପ୍ରବଂଧ ଅବା ଉପନ୍ୟାସ
ରୁଚିକୁ ଦିଏ ଜୀବନ୍ୟାସ
ଏକାଂତବାସୀ ହୋଇ ସୁଦ୍ଧା
ଯଶପ୍ରାପ୍ତିରେ ନାହିଁ ବାଧା
ତେଣୁ ତ ଅନେକ ଲେଖକ
ବଂଦି ହୋଇ ପାଆଂତି ସୁଖ
ଲେଖୁଥିଲେ ଦେବାକୁ ପଡ଼େ
ପଢ଼ୁଥିଲେ ନେବାକୁ ପଡ଼େ
ଅକ୍ଷର-ବିହନ ବୁଣିଲେ
ନାନାଦି ଶସ୍ୟ, ଫଳ ମିଳେ
ଘାସ, ତୃଣ ଓ ଗଛ, ଲତା
ବଢ଼ିଲେ ରହେ ବନ-ସତ୍ତା
ଭାଷା ନୁହେ ଅଧିକ ଭିନ୍ନ
ଏ କଥା ମାନୁ ଆମ ମନ
ସକଳ ଭାବ, ଚିଂତା, ଜ୍ଞାନ
ଭାଷାରେ ନ ପାଇଲେ ସ୍ଥାନ
ଥିଲେ ବି ପ୍ରଖ୍ୟାତ ଲେଖକ
ରହିପାରେନି ଭାଷା ଟେକ
Comments are closed.