Latest Odisha News

BREAKING NEWS

ଭାଷା ଭାଗବତ : ସର୍ବମୂଳ ସତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ସତ୍ୟବାଦୀ ସଦା ଏକାକୀ
ଥାଇ ହୁଏ ସର୍ବଦା ସୁଖୀ
ମନୋଭାବ ସେ ରଖେ ଲେଖି
ହୋଇଥାଏ କାଳର ସାକ୍ଷୀ

ଲୋକସଂଗ କରେନି ଯେଣୁ
ବଜାଏ ସେ ସତ୍ୟର ବେଣୁ
ତହୁଁ ପାଏ ଅସରା ସୁଖ
ଦେଖିପାରେ ସତ୍ୟର ମୁଖ

ସତ୍ୟାନୁଭବ ହେବା ପରେ
କାହାକୁ କେବେ ବି ନ ଡରେ
ମନକୁ ଜ୍ଞାତ ହେଲେ ସତ୍ୟ
ସେ ତାହା ଲେଖଇ ତୁରଂତ

ସତ୍ୟାସୀନ ବ୍ୟକ୍ତିର ଗ୍ରଂଥ
ଦେଖାଏ ପ୍ରକୃତ ସତ୍‌ପଥ
ଏକାଂତବାସୀ ହୋଇ ସୁଦ୍ଧା
ସେ ଦେଖେ ସମଗ୍ର ବସୁଧା

ତା ମନ-ଚକ ଘୂରୁଥାଏ
ସକଳ ଇଚ୍ଛା ପୂରୁଥାଏ
ଆନଂଦେ କରେ ଉତ୍ପାଦନ
ସ୍ବାନୁଭୂତି-ମୂଳକ ଜ୍ଞାନ

ତାହାକୁ କହେ କେ ଦର୍ଶନ
ଅନ୍ୟ କେ ବୋଲଇ ବିଜ୍ଞାନ
ସେ ସବୁ ତା’ର ଅବଦାନ
ବିଶ୍ବକୁ କରେ ସେ ଅର୍ପଣ

ଅଳ୍ପାୟୁ କ୍ଷୁଦ୍ରଦେହୀ ହୋଇ
ଯାହା ସେ କରେ, କରେନାହିଁ
ତା ହୁଏ ତାହାର ବ୍ୟକ୍ତିତ୍ୱ
ତାହା ହିଁ ସର୍ବମୂଳ ସତ୍ୟ

ଆପଣା ବ୍ୟକ୍ତିତ୍ୱ ଗଠନ
କରଂତେ ଯଦି ବିଜ୍ଞ ଜନ
ଦ୍ବିଧା ଓ ଦ୍ବଂଦ୍ବ ବିଲୋପନ
କରିପାରଂତା ତାଂକ ମନ

ନିଜର ସ୍ପୃହା ଅନୁସାରେ
ଯିଏ ଶବ୍ଦ-ସାଧନା କରେ
ତାହାର କଥା ଆଉ ଲେଖା
ହୁଏ ବିଶ୍ବବାସୀଂକ ସଖା

Leave A Reply

Your email address will not be published.