ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅନ୍ନକୁ କଲେ ଅନାଦର
ଉଜୁଡ଼ିଯିବ ଏ ସଂସାର
ପ୍ରତିଟି ଦାନା ମୂଲ୍ୟବାନ
ବୁଝଂତୁ ପ୍ରତ୍ୟେକ ସଂତାନ
ଅନ୍ନକୁ ବାଂଟିଲେ ମାଗଣା
ତା’ର ମୂଲ୍ୟ ପଡ଼େନି ଜଣା
ମାଗଣା ପାଇବା ଅଭ୍ୟାସ
ଘଟାଏ ଶ୍ରମର ବିନାଶ
କେବଳ ଖାଇ, ପିଇ, ଶୋଇ
ମଣିଷ ନିକମା ହୁଅଇ
ଏହା ସଭିଏଁ ବୁଝି, ଜାଣି
ଆହୁରି ବାଂଟୁଥାଂତି ପୁଣି
ଜିଇଁଲେ ଜୈବିକ ଜୀବନ
ବଢ଼େନି ମନୁଷ୍ଯର ମାନ
ତେବେ ବି ତାହା କରି କରି
ସମୟ ଦେଉଥାଉଁ ସାରି
ଅଧିକ ଲୋକ ସ୍ଥାନାଧୀନ
ଅଳପ ଲୋକ ମନାଧୀନ
ହୋଇ ଚଳଂତି ଏହିଠାରେ
ସମୟ-ନଈର ପଠାରେ
ମୁଁ ଏବେ ବିଶ୍ବର ମଣିଷ,
ପୂରା ସୁଖରେ କରେଁ ବାସ
କେବେ ଦିନେ ହୋଇବି ଶେଷ
ମନରେ ନାହିଁ ଅବସୋସ
ପଳାତକ କେବେ ବାହୁଡ଼ି
ଏଠି ମୋ ସହ ହେବ ଯୋଡ଼ି
ଏହା ନ ଥିଲେ ସୁଦ୍ଧା ଜଣା
ଚାଲିଛି ମୋ ମୁହୂର୍ତ ଗଣା
ଗଣି ଗଣି ମୁଁ ଗଲେ ଥକି
କିଛି ଇଚ୍ଛା ନ ଥିବ ବାକି
ସେ ଦିନେ ଫେରି ଆସିବ କି ?
ଆଶାରେ ରହିଥାଏଁ ଟାକି
ପ୍ରତୀକ୍ଷା ଯଂତ୍ରଣାଦାୟକ
ହେଲେ ବି ଅଳ୍ପ ଟିକେ ସୁଖ
କରି ତହିଁରୁ ଆହରଣ
ବିତାଉଥାଏଁ ମୋ ଜୀବନ
କଳ୍ପନା ଓ ପୂର୍ବାନୁମାନ
ପ୍ରଦୂଷିତ କରିଲେ ମନ
ବ୍ୟକ୍ତିର ନିଜସ୍ବ ଚିଂତନ
ମନରୁ କରେ ପଳାୟନ
କଳ୍ପନା-ଜାତ ନୂଆ ଜ୍ଞାନ
ମନରେ କରିଲେ ଉତ୍ପନ୍ନ
ତହୁଁ ସମସ୍ୟା ସମାଧାନ
କରଂତି ଉତ୍ସାହୀ ସୁଜନ
କଳ୍ପନା କଲେ ରୂପାୟିତ
ଏ ବିଶ୍ବ ହୁଅଇ ଉନ୍ନତ
କିଂତୁ ନିଜ ସ୍ବରୂପେ ଥିଲେ
ଅକାମୀ ହୁଏ ସବୁବେଳେ
କଳ୍ପନା ହୁଏ ଯଦି ମଂଜି
ମାଟିରେ ଦେଲେ ତାହା ଖଂଜି
କ୍ରମଶଃ ହୁଏ ବନସ୍ପତି
ବନେ ଜ୍ଞାନର ମୂଳଭିତ୍ତି
କଳ୍ପନା ଯୋଗୁଁ ଉଦ୍ଭାବନ
ହୁଏ ମନରେ ପ୍ରତି କ୍ଷଣ
ସଂଧାନୀ ମନ ଅଟେ ଯା’ର
ସେ କରେ ବହୁ ଆବିଷ୍କାର
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.