ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୮
କଥାଖୋରି ଓ କାମଚୋରି
ହୋଇଲେ ଅଭ୍ୟାସ କାହାରି
ବାରଂବାର ଗଲେ ବି ହାରି
ପାରେନି ନିଜକୁ ସୁଧାରି
ବାଣୀକୁ କରେ ଯିଏ ପେସା
ଲିପିକୁ କରେନି ଭରସା
କଥା ପବନେ ଯାଏ ମିଶି
ଲିପି ହିଁ ହୁଏ ଅବିନାଶୀ
ଅତି ଉଜ୍ଜ୍ବଳ ଫୁଲଝରି
ମୁହୂର୍ତେ ଆଲୋକ ସଂଚାରି
ତତ୍କାଳ ଦିଏ ଅଂଧକାର
ଅସ୍ଥାୟୀ ଜ୍ୟୋତି ହୁଏ ଦୂର
କଥା ତ ଫୁଲଝରି ପରି
ଲିପି ତ ସୀମା ହୁଏ ପାରି
ଦୀପର କ୍ଷୀଣାଲୋକ ହୋଇ
ଝଡ଼କୁ ଦୃଢ଼େ ସହି ନେଇ
କଥା ମାତ୍ରକେ ଧ୍ବନି ସତ୍ତା
ଲିପି ହିଁ ଶୁଦ୍ଧ ନିରବତା
କଥା କହିଲେ ଭାବ ନିଃସ୍ବ
ଲିପି ମାଧ୍ୟମେ ଚଳେ ବିଶ୍ବ
ଗ୍ରଂଥାଗାରରେ ନିରବତା
ମଧ୍ୟରେ ପଠନ ଓ ଚିଂତା
କରି ଲେଖିଲେ ଭାବବାଣୀ
ପାଠକ ହୁଏ ଆପେ ଜ୍ଞାନୀ
କଥାବାର୍ତାରେ ହୋଇ ମଗ୍ନ
କରିଲେ ନିରବତା ଭଗ୍ନ
ଉଭୟ ଭାଷା ଆଉ ଜ୍ଞାନ
ନିଶ୍ଚୟ ହୁଅଂତି ନିଶ୍ଚିହ୍ନ
ନିରବ ରହି କଲେ ଧ୍ୟାନ
ସ୍ବାନୁଭୂତି ସଂଚିତ ଜ୍ଞାନ
କରଂତି ଭାବନା ଉତ୍ପନ୍ନ
ତାହା ଭାଷାର ମୂଳଧନ
ଯେଉଁ ଭାଷାରେ ଯେତେ ବହି
ଲିଖିତ ହୋଇ ଅଛି ରହି
ତାହାକୁ ନିଶ୍ଛଳ ମର୍ଯାଦା
ଦିଅଂତି ବିଶ୍ବବାସୀ ସଦା
କଥନଠାରୁ ଅଧ୍ୟୟନ
ଆଡ଼କୁ ଦେଲେ ବେଶି ମନ
ଆମର ଦୁର୍ଦଶା ମୋଚନ
କରିପାରିବ ସୁଲେଖନ
ସଭିଏଁ ଶିଖିଅଛୁଁ ଲେଖା
ଅଥଚ ମନେ ରଖି ଶଂକା
ଜିଇଁଛୁଁ ନିରକ୍ଷର ଭଳି
ସ୍ବଭାଷା ଯାଇଅଛୁଁ ଭୁଲି
କରିଛୁଁ ସ୍ବଲିପି ବର୍ଜନ
କରୁଛୁଁ ଧନ ଉପାର୍ଜନ
ସତେ କି ଏପରି ଜୀବନ
ସୁଖ ଶାଂତିରେ ପରିପୂର୍ଣ ?
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.