Latest Odisha News

BREAKING NEWS

ଭାଷା ଭାଗବତ : ଶୁଦ୍ଧ ସତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ବିବୃତି ଦେଲେ ମାଳ ମାଳ
ମିଳେନି ବାଂଛିତ ସୁଫଳ
କିଂତୁ କେତେକ ବାକ୍ୟବୀର
ତାହା କରଂତି ବାରଂବାର

ଗଣମାଧ୍ୟମ ନାମ ନେଇ
ଜଣଂକ ବଶଂବଦ ହୋଇ
ଯିଏ ଯାହା ବି ଲେଖିଥାଂତି
ସେଥିରୁ ମିଳେ ତାଂକୁ ତୃପ୍ତି

ଦ୍ରବ୍ୟ, ଧନ ବଂଟନ କରି
ହେଲେ କ୍ଷମତା ଅଧିକାରୀ
ମିଳେନି ନିଶ୍ଚିତ ସଂତୋଷ
ଅବସୋସ ହୁଏନି ଶେଷ

ନେତାଂକ ଅନୁଗାମୀ ବ୍ୟକ୍ତି
ଲଗାଇ ସମୟ ଓ ଶକ୍ତି
ପାଏନି ତା’ର ପରିଣାମ
ସେ ରଟେ ନେତାର ଦୁର୍ନାମ

ଏବର ଶତ୍ରୁ ଦିନେ ସାଥୀ
ହୋଇ ଯେ ରହିଥିଲେ ମାତି
ଏ କଥା ହୋଇଲେ ବିସ୍ମୃତ
ମନରେ ଜାତ ହୁଏ କ୍ଷତ

କାହାର ନାହିଁ ଦୂରଦୃଷ୍ଟି
ସଭିଏଁ ଅଳ୍ପକେ ସଂତୁଷ୍ଟି
ପାଇ ହୁଅଂତି ଆତ୍ମଲୀନ
ଘଟାଂତି ନିଜର ପତନ

କବିତା ଲେଖେଁ ବୋଲି ମୁହିଁ
ସବୁ ଉପେକ୍ଷା ପାରେଁ ସହି
କିଛି ବି ନ ରଖି ଲୁଚାଇ
ଆନଂଦେ ଅଛି ଏଠି ଜିଇଁ

ବ୍ୟକ୍ତ କରିଲେ ଅସଂତୋଷ
ଯଦିଓ ନାହିଁ କିଛି ଦୋଷ
ତାହା ହୁଏନି ସଂଚାରିତ
ହୋଇଥିଲେ ହେଁ ଶୁଦ୍ଧ ସତ

ସତ କହିଲେ ବାରଂବାର
କମେନି ମିଛର ବେପାର
ସତ୍ୟାଶ୍ରୟୀ ଓ ମିଥ୍ୟାଶ୍ରୟୀ
ଉଭୟେ ହୁଅଂତି ବିଜୟୀ

ସତ, ମିଛର ନିରୂପଣ
ହେଲେ ହେଁ ସତେ ଅକାରଣ
ନିର୍ଣୟ ହେଲେ ଅସଂପୂର୍ଣ
ଘଟଇ ଦୁହିଂକ ମରଣ

Comments are closed.