ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ପରିଚିତି ନାମ ଓ ମୁହଁ
ଯଦି କେଉଁ କାମକୁ ନୁହଁ
ଜନତା ହୋଇ ବଶୀଭୂତ
ଅଜାଡ଼ି ଦିଏ ନିଜ ମତ
ରାଜତଂତ୍ରର ବିଲୋପନ
ଏବେ ବି ଅଟେ ଏକ ସ୍ବପ୍ନ
ଏଯାଏଁ ହୋଇନି ବାସ୍ତବ
ଏ ସତ୍ୟ କରୁଁ ଅନୁଭବ
ବ୍ୟକ୍ତି-ନିର୍ଭର ରାଜନୀତି
ଯେହେତୁ ହରାଇନି ଶକ୍ତି
କର୍ମୀମାନଂକ ପ୍ରଭୁଭକ୍ତି
ହୋଇଛି ସତେ ଅସରଂତି
ଦେଶର ଅଧିକାଂଶ ଲୋକ
ଚିହ୍ନଂତି ନିଜ ପେଟ ଭୋକ
ଯିଏ ଯୋଗାଏ ମୁଠେ ଅନ୍ନ
ସିଏ ହିଁ ହୁଏ ସର୍ବମାନ୍ୟ
ସୁବିଧାବାଦୀ ଯେତେ ନେତା
କହଂତି ବଡ଼ ବଡ଼ କଥା
କରଂତି ଘୋଷଣା ପ୍ରଚାର
ସଭିଏଁ ଏଠି ବାକ୍ୟବୀର
ଲୋକେ ନିଜର ସୀମା ଜଗି
ହୁଅଂତି ଆପେ ସହଯୋଗୀ
ତାଂକୁ କରିଲେ ଦଳଭୁକ୍ତ
ସମାଜ ହୁଅଇ ବିଭକ୍ତ
ଦଳ ହେଲେ ହେଁ ଭଂଗା, ଗଢ଼ା
ପ୍ରତ୍ୟହ ଉତୁରା ଓ ଚଢ଼ା
ପ୍ରକ୍ରିୟା ଚାଲେ ନିରଂତର
ମିଳେନି ସିଧା ପ୍ରତିକାର
ଯେଉଁ ଭାଷା ରାଜ୍ୟର ଭିତ୍ତି
ତହିଁର ଅଶେଷ ଦୁର୍ଗତି
ଦିଶୁଥିଲେ ହେଁ ଜଳଜଳ
ନିରବ ଆମ ନେତାକୁଳ
ସ୍ବାଧୀନ ଚିଂତାଧାରା ପାଇଁ
ଯଦି ବ୍ୟବସ୍ଥା ହେଉନାହିଁ
ଏ ନୁହେ ସହନଶୀଳତା
କେବଳ ମହା ନିର୍ଲଜ୍ଜତା
କାଲି ସେଠି ତ ଆଜି ଏଠି
ନେତାଏ ଖଟୁଥାଂତି ବେଠି
ସ୍ବେଚ୍ଛାରେ କେବେ ବି ସେମାନେ
କରିନାହାଂତି କିଛି ଦିନେ
ଯିଏ ବି ଖୋଲେ କେବେ ପାଟି
ତା ଚେର ଆପେ ଯାଏକଟି
ଲୋକମାନେ ତ ଚିର ମୂକ
ନିଘୋଡ଼ ନିଦରେ ବିବେକ
ଅନ୍ନଦାନ ଓ ଜ୍ଞାନଦାନ
ଫଳଦାନ ଓ ଜଳଦାନ
ଚାଲୁଛି ଏଠି ପ୍ରତିଦିନ
ଦାନଗ୍ରାହୀ ନୁହେ ସ୍ବାଧୀନ
ଦେଶର ବିକାଶ ବର୍ଧନ
ଘଟିବ କଲେ ବେଳଦାନ
ଦେଶ ପାଇଁ କିଛି ସମୟ
ଦାନ କରିଲେ ହେବ ଜୟ
Comments are closed.