ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଧୀର ଗତି ଓ ସ୍ଥିର ମନ
ରଖିଲେ ସୁସ୍ପଷ୍ଟ ଲିଖନ
ସବୁଠି ସର୍ବଦା ସଂଭବ
ଏ ସତ୍ୟ କରୁଁ ଅନୁଭବ
ବିଶୁଦ୍ଧ ସଂଯତ ଲିଖନ
ବଢ଼ାଏ ସାହିତ୍ୟର ମାନ
ଲେଖକେ ହେଲେ ସ୍ବେଚ୍ଛାଚାରୀ
ସାହିତ୍ୟ ହୁଏ ଅପକାରୀ
କେ ପାରେ କେତେ ଶୀଘ୍ର ଲେଖି
କିଏ ତା ବିଚାର କରେ କି ?
ସରଳ, ପରିଚ୍ଛନ୍ନ ଭାଷା
ବଢ଼ାଏ ଲୋକଂକ ଭରସା
ଲିପି ହୋଇଲେ ବିଶୃଂଖଳ
ଭାଷାଟେ ହରାଏ ତା ବଳ
ଲୋକଂକ ପଢ଼ିବା ଆଗ୍ରହ
କ୍ରମଶଃ ହୋଇଯାଏ କ୍ଷୟ
ଅକ୍ଷର ଯୋଡ଼ାଖଂଜା କାମ
ହୋଇପାରଂତା ସର୍ବୋତ୍ତମ
ଲେଖକମାନେ ଦେଲେ ଧ୍ୟାନ
ସଭିଏଁ ପାଆଂତେ ସମ୍ମାନ
ପ୍ରଥମେ କରି ସଂଶୋଧନ
ତା’ପରେ କଲେ ପ୍ରକାଶନ
ହୁଅଂତାନାହିଁ ଏତେ ତ୍ରୁଟି
ପାଠକେ ପଡ଼ଂତେନି ଝୁଂଟି
ଗ୍ରହଣ କିଂବା ପ୍ରତ୍ୟାଖ୍ୟାନ
ପୂର୍ଣତଃ ଲେଖକ ଅଧୀନ
ଯାହା ଲେଖଂତି, ଦିଶେ ତାହା
ଅନ୍ୟ କେହି ତ ନୁହେ ସାହା
ଯେତେକ ଭାଷାପ୍ରେମୀ ଜନ
ପଢ଼ାଲେଖାକୁ ଦେଲେ ଧ୍ୟାନ
ବିଲୋପ-ମୁଖୀ ଏହି ଭାଷା
ସଂଚାର କରିପାରେ ଆଶା
ଭାଷାର ନିଜସ୍ବ ଜୀବନ
ଆଦୌ ନ ଥାଏ ବୋଲି ଜାଣ
ତା’ପରେ ନେବାକୁ ନିର୍ଣୟ
ନ କର ଲାଜ କିଂବା ଭୟ
ଭାବକୁ କରିଦେଲେ ଲିପି
ବହୁ ଦୂରକୁ ଯାଏ ବ୍ୟାପି
ଚଳିଲେ ଭାବ ବିନିମୟ
ଭାଷାକୁ ମିଳଇ ଆଶ୍ରୟ
Comments are closed.