ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୨
ଶୁଣି ଆକ୍ଷେପ ଦୋଷାରୋପ
ମନରେ ଜାତ ହୁଏ କୋପ
ହେଲେ ତାହାର ବଶୀଭୂତ
ବ୍ୟକ୍ତି ଚେତନା ହୁଏ ମୃତ
ବାଣୀରେ ଭରି ମଧୁରତା
କହି ଜାଣିଲେ ନୂଆ କଥା
ନିଶ୍ଚୟ ବୁଝଂତି ଜନତା
ସଂଭବ ହୁଏ ଏକାତ୍ମତା
ଲୋକଂକୁ କଲେ ତିରସ୍କାର
ଶୁଣାଇ ଚାଲିଲେ ଧିକ୍କାର
ହୁଏନି ମୋଟେ ଉପକାର
ତାଂକର ଅଥବା କାହାର
ଶକ୍ତିଧରଂକୁ ଦେଲେ ଗାଳି
ସଭାରେ ବାଜେ କରତାଳି
ଏପରି ପ୍ରସିଦ୍ଧିରେ ଭଳି
ପଡ଼ଂତି ବହୁ ବକ୍ତା ଟଳି
ଭାଷାଟେ ଲୋଡ଼େନି ନେତୃତ୍ବ
ମିଳିଲେ ନିଶ୍ଛଳ ଭ୍ରାତୃତ୍ୱ
ହୁଅଂତି ଲୋକେ ଉପକୃତ
ପାଆଂତି ବହୁବିଧ ହିତ
ବାଣୀ ସହିତ ଖଂଜି ଠାଣି
ଅବୋଧ୍ୟ ଶବ୍ଦ ଦେଲେ ବୁଣି
ସଭିଏଁ ପାରିଲେ ହେଁ ଶୁଣି
ବୁଝଂତି କି ନାହିଁ କେଜାଣି
ନିଜକୁ ବୋଲାଇଲେ ଜ୍ଞାନୀ
ହୁଏ ଜ୍ଞାନର ମାନହାନି
ଏହି ସତ୍ୟ ଥିଲେ ବି ଜାଣି
କଥା କହଂତିନାହିଁ ଛାଣି
ଖୋଜିଲେ ଅନ୍ୟଠାରେ ଦୋଷ
ଯାହାକୁ ମିଳଇ ସଂତୋଷ
ସେ ଦେଖିପାରେନି ଅଂତର
କଥା ତାହାର ଅବାଂତର
କଥାରେ ହୁଏ ଭଂଗା ଯୋଡ଼ା
କଥାରେ ଉତରା ଓ ଚଢ଼ା
କଥାର ପ୍ରତିକ୍ରିୟା କଥା
ହେଲେ ହିଁ ଘଟେ ଅବ୍ୟବସ୍ଥା
ଶୁଣିଲେ ଅସଂଯତ କଥା
ନିଜେ ରଖିବା ନିରବତା
ମୁହଁରେ ଥିବ ସ୍ମିତ ହସ
କେବେ ବି ହେବାନି ଉଦାସ
କଥାକୁ କରିଲେ ଉପେକ୍ଷା
କାମକୁ ମିଳିବ ସୁରକ୍ଷା
ଶୁଭଇ ଯେତେ କଟୁବାଣୀ
କାମ କଲେ ହିଁ ହୁଏ ଜିଣି
କାମରେ କଥାର ଉତ୍ତର
ଦେବାକୁ ମନ କରି ସ୍ଥିର
ହୋଇଲେ ଏବେ ଆଗଭର
ସଂସର୍ଗ ହୋଇବ ସୁଂଦର
Comments are closed.