ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସୂକ୍ଷ୍ମ, ଉତ୍କଟ ଅନୁଭୂତି
ପାଇପାରେନି ଅଭିବ୍ୟକ୍ତି
ଭାଷାରେ କିଛି ଶବ୍ଦ ନାହିଁ
ତୀବ୍ରାନୁଭୂତି ଲେଖା ପାଇଁ
ଯାହା ଲୋକଂକୁ ଦିଶେ, ଶୁଭେ
ଅଥବା କେହି କେବେ ଭାବେ
ତାହାର ସୀମିତ ପ୍ରକାଶ
କରିଲେ ମିଳଇ ଉଲ୍ଲାସ
ବ୍ୟକ୍ତିତ୍ବର ହାତ, ନାକ, ଜିଭ
ଯାହା କରଂତି ଅନୁଭବ
ପରଶ, ଗଂଧ ଆଉ ସ୍ବାଦ
ପ୍ରକାଶ ପାଇଁ ନାହିଁ ଶବ୍ଦ
ଆମର ପାଂଚଟି ଇଂଦ୍ରିୟ
ମଧ୍ୟରୁ ଆଖି, କାନ ଦ୍ବୟ
ମୁଖ୍ଯତଃ ରହଂତି ସକ୍ରିୟ
ଅନ୍ୟ ତିନିଟି ଅପାଂକ୍ତେୟ
ସକଳ ଇଂଦ୍ରିୟାନୁଭବ
ଭାଷାରେ ପ୍ରକାଶ ସଂଭବ
ଯେହେତୁ ହୋଇନି ଏଯାଏଁ
ଭାଷା ସୀମିତ ହୋଇଥାଏ
ମଣିଷ କହେ, ଲେଖେ ଯାହା
ସଦା ଅପୂର୍ଣ ହୋଇ ତାହା
ପକାଏ ସୀମିତ ପ୍ରଭାବ
ଏହା ହିଁ ଭାଷାର ସ୍ବଭାବ
ଆଉ ଅଧିକ ଶବ୍ଦ ଲୋଡ଼ା
ଥିଲେ ହେଁ ହେଉନାହିଁ ଗଢ଼ା
ଭାଷା ରହିଛି ତଳେ ପଡ଼ି
ପାରୁନି ଯଥାରୀତି ବଢ଼ି
ଶବ୍ଦ ଗଠନ, ଆହରଣ
କରିଲେ ଭାଷାର ବର୍ଧନ
ହୁଏ ସରଳ, ସ୍ବାଭାବିକ
ବୁଝଂତିନାହିଁ ବହୁ ଲୋକ
ପ୍ରତିଶବ୍ଦରେ ପୂର୍ଣ ଭାଷା
ବଢ଼ାଇ ପାରୁନାହିଁ ଆଶା
‘ଲାଜ’କୁ କରିଦେଲେ ‘ଲଜ୍ଜ୍ୟା’
ଉଡ଼େନି ଭାଷା ଜୟଧ୍ବଜା
‘ଊର୍ଦ୍ଧ୍ବ’ ନ ଲେଖି, ଲେଖୁଁ ‘ବେଶି’
‘ଆହ୍ଲାଦ’ ବଦଳରେ ‘ଖୁସି’
‘ଏତଦ୍ବ୍ୟତୀତ’, ‘ଏହାଛଡ଼ା’
ଲେଖିଲେ ହେବନାହିଁ କଡ଼ା
ଅସଂଖ୍ୟ ସମାର୍ଥକ ଶବ୍ଦ
ନୁହଂତି ଭାଷାର ସଂପଦ
ନିର୍ଦିଷ୍ଟାର୍ଥକ ଶବ୍ଦ ଥିଲେ
ଭାଷାଟେ ସୁରୁଖୁରୁ ଚଳେ
ଯାହା ବୁଝଂତି ବହୁ ଲୋକ
ତାହା ନ ଲେଖିଲେ ଲେଖକ
ସାହିତ୍ଯ ହୁଏ ଅନାଦୃତ
ଏହା ତ ଜଣାଶୁଣା ସତ
ପଢ଼ିବା ବେଳେ ପଡ଼ି ଝୁଂଟି
ପଠନାଗ୍ରହ ଗଲେ ତୁଟି
ପାଠକ ହୁଏ ବ୍ୟତିବ୍ୟସ୍ତ
ଭାଷା ତପନ ହୁଏ ଅସ୍ତ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.