ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସତ୍ୟକୁ ସଦା ଶବ୍ଦବଦ୍ଧ
କରିବା ଯେଣୁ ହାସ୍ୟାସ୍ପଦ
କରିଲେ ରହିବ ପ୍ରମାଦ
ବଢ଼ିବ ଅଲୋଡ଼ା ବିବାଦ
ବାସ୍ତବିକ ସତ୍ୟାନୁଭୂତି
ବ୍ୟକ୍ତ କରିପାରେନି ବ୍ୟକ୍ତି
ଶବ୍ଦର ନାହିଁ ଏତେ ଶକ୍ତି
ଯୁକ୍ତିତର୍କରୁ ଲୋଡ଼ା ମୁକ୍ତି
କଥା କହିଲେ ଅନର୍ଗଳ
ସତ୍ୟ ହିଁ ହୁଏ ଟଳମଳ
ଚିଂତନ, ଧ୍ୟାନ ଓ ମନନ
ଶାଂତ କରିପାରଂତି ମନ
ଏକାଗ୍ରଚିତ୍ତଧାରୀ ବ୍ୟକ୍ତି
ପାଏ ସତ୍ୟର ପରିଚିତି
କର୍ମାକର୍ଷକ ଶକ୍ତିଧାରୀ
ସ୍ବଚ୍ଛଂଦେ କାମ ଦିଏ ସାରି
ବାଣୀର ନାହିଁ ପ୍ରୟୋଜନ
ବୁଝଂତି ଲିପ୍ୟାସକ୍ତ ଜନ
ଶବ୍ଦର ସୂକ୍ଷ୍ମ ଭେଦାବଳି
ରଖଂତି ବକ୍ତବ୍ୟ ସଂଭାଳି
ପୋଷିଲେ ସଂଶୋଧନ ପ୍ରୀତି
ନିର୍ଦିଷ୍ଟ ହୁଏ ଅଭିବ୍ୟକ୍ତି
ଅଶୁଦ୍ଧ ହେଲେ ଲେଖା ଭାଷା
ସଂଚାର କରେନି ଭରସା
ଭାଷାରେ ଥିଲେ ହେଁ ନିୟମ
ହୁଏ ଅନେକ ବ୍ୟତିକ୍ରମ
ସେ ସବୁ ନୁହେ ବର୍ଜନୀୟ
ବାସ୍ତବତାର ପରିଚୟ
ଲେଖିବା ବେଳେ ତରତର
ହେବା ନୁହଇ ଦରକାର
ସାହିତ୍ୟ ନୁହେ ଶବ୍ଦକ୍ରୀଡ଼ା
ସର୍ବଦା ସତର୍କତା ଲୋଡ଼ା
ଲେଖକେ ନିଜେ ସଂଶୋଧକ
ହେଲେ ବଢ଼େ ଭାଷାର ଟେକ
ବିବେକ, ଭାବ, ବୁଦ୍ଧି, ଜ୍ଞାନ
ଘଟାଂତି ଭାଷାର ଉତ୍ଥାନ
ନ ହୋଇ ସୂକ୍ଷ୍ମତା ବିରାଗୀ
ପୁଂଖାନୁପୁଂଖ ଅନୁରାଗୀ
ଜିରାରେ ଦେଖିପାରେ ଶିରା
ସହଜେ ହୁଏ ଆତ୍ମହରା
ଅତି ଅଧିକ ମୁଖରତା
ଯୋଗୁଁ ଭାଂଗିଲେ ଏକାଗ୍ରତା
କର୍ତବ୍ୟ ହୁଏନି ସଂପନ୍ନ
ବୁଝଂତି ସୁଜ୍ଞାନୀ ସୁଜନ
ଅନ୍ୟକୁ ଦେଉଥିଲେ ଦୋଷ
ସମସ୍ୟା ହୁଏନାହିଁ ଶେଷ
ମନ କରିଲେ ଶବ୍ଦ ବାଂତି
ଲେଖାକୁ ପଶିଆସେ ଭ୍ରାଂତି
ମନରେ ସମସ୍ୟା ସମୂହ
ରଖିଲେ ସ୍ଥିତି ଭୟାବହ
ହେବାଟା ଯେଣୁ ସୁନିଶ୍ଚିତ
କରିବା ଯାହା ବି ବିହିତ
ରହିଲେ ଭାଷାର ସହିତ
କରିପାରିବା ସର୍ବହିତ
ଆଗାମୀ କାଳକୁ ପ୍ରସ୍ତୁତ
କରି ରଖିବା ନିଜ ଚିତ୍ତ
Comments are closed.