Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦମୟ ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୪

 

ବହିରେ ଯେତେ ଶବ୍ଦ ଦେଖ
ସଂସାରେ ତହିଁରୁ ଅଧିକ
ଘର ଓ ଜିନିସ ପତର
ନାମରୁ ଲିପି ଶିକ୍ଷା କର

ଖଟ ଓ କଂବଳ ପଲଂକ
ମାତ୍ରା ନ ଥିବା ଶବ୍ଦ ଯାକ
ଘର ଓ ପଥର ଅବନା
ଚଟାଣ କାଂଥ ଛାତ ଠଣା

କବାଟ ଝରକା ଶବ୍ଦରେ
ଆ-କାର ଦିଶୁଛି ଆଖିରେ
ବାସନ ପରାତ ଓ ଡାଲା
ଅଖା ଦନା ଓ ଡବା ତାଲା

ତାଉଆ ଗରା ଓ ଗାମଲା
ଆ-କାର ଯୁକ୍ତ ସବୁ ହେଲା
ଚଉକି ମସିଣା ମଶାରି
ପିଢ଼ା ତକିଆ ଗଦି ଦରି

ଥାଳି ଥାଳିଆ ବାଟି ଗିନା
ହାଂଡି ମାଠିଆ ଜାଣ କି ନା
ଡିବା ତାଟିଆ ଓ ପନିକି
ଇ-କାର;ରହିଥାଏ ଲାଖି

ଝୁଡ଼ି କୁଲା ଓ ଝାଡ଼ୁ ଖୁରି
ଚାଲୁଣୀ ଗଡ଼ୁ ତ ଉ-କାରୀ
ବେଲଣା କରେଇ ଓ ପେଟି
ଏ-କାର ଲାଗିଛି ସବୁଠି

ସୁରେଇ ବେତୁଲି ଓ ବେଲା
ସବୁଠି ଏ-କାର ଦିଶିଲା
ଟୋକେଇ ଢୋଲ ଓ ପା’ପୋଛ
ଓ-କାର ସବୁଠି ଦେଖୁଛ

ଆ-କାରୁ ଓ-କାର ପର୍ଯଂତ
ମାତ୍ରାକୁ କର କରାୟତ୍ତ
ଏହି ସଂସାର ଲେଖାମୟ
ଲିପିକୁ କରନାହିଁ ଭୟ

ପିଲା ମନରେ ଥାଏ ଶବ୍ଦ
ସେ ସବୁ କରୁ ଲିପିବଦ୍ଧ
ଜଣା ଶବ୍ଦକୁ ନିଜେ ଲେଖୁ
ଅଜଣା ଶବ୍ଦ ପଢ଼ି ଶିଖୁ

ତା ମନ ସ୍ମୃତିର ଆଳୟ
ସ୍ବୀକାର କଲେ ବିଦ୍ୟାଳୟ
ଶିଶୁଟି ହୋଇବ ନିର୍ଭୟ
ପାଇବ ଲିପି ପରିଚୟ

Comments are closed.