ମିରିନା ମହାନ୍ତି
ବସୁନ୍ଧରା, ତୁମ ଝରକା ସେପାଖେ
ସମ୍ପର୍କମାନଙ୍କର ଗାଢ ନୀରବତା ,
ଗଭୀର, ଗମ୍ଭୀର ନିର୍ଜନତା ।।
ଦେଖ, ମେଘ ମେଦୁର ଆକାଶ
ସନ୍ ସନ୍ ବହୁଥିବା ପବନ
ଅବିରାମ କିଚିରି ମିଚିରି ଚଢେଇଙ୍କ ଗଳ୍ପ
ପତ୍ରଢଙ୍କା ଗଛ,
ଆଉ କୁହୁଡିର ହିଲ୍ଲୋଳ ।।
ଗୋଟିଏ ସମୟରେ
ଓହ୍ଲାଇ ଆସୁଥିଲା ଆକାଶ ପ୍ରସାରିତ ବାହୁନେଇ ।
ତୁମ ଲାଜକୁଳି ଲତାର ପଲ୍ଲବରେ
ଝରୁଥିଲା ବିନ୍ଦୁ ବିନ୍ଦୁ ସରାଗ ।।
ଝୋଟିପକା ଜୀବନରେ
ତୁମ ହୃଦୟ ଉନ୍ମୁକ୍ତ
ପ୍ରେମମୟ ଚକ୍ଷୁପତାରେ
କୋଟି ସୂର୍ଯ୍ୟର ତେଜ ।।
ଆଜି ପଣତ ପାତନାହିଁ ।
ମମତାରେ ଜରଜର ଲୁହମୟ ହୋଇ
ଝାପ୍ସା ସଞ୍ଜବେଳର ମୁଠା ମୁଠା
ଉଦାସୀନତା, କଅଁଳ ଖରାର ଦୁଃଖ ନେଇ
ସାଉଁଟ ନାହିଁ
ସମ୍ପର୍କମାନଙ୍କୁ ।।
ଏବେ ଏବେ ଲିଭିଯାଇଛି ପାଦଚିହ୍ନ ସବୁ।
ଭରସା ନାହିଁ
ବାଟକୁ
ଘାଟକୁ
ଅନ୍ଧାରକୁ
ସମୟ ଖସି ଯାଇଛି
ତୁମ ପଣତର ବିସ୍ତୃତିଠାରୁ,
ସେମାନଙ୍କ ଦୁନିଆର ପରିଧି ଲମ୍ବି ଯାଇଛି
ଆଖି ନପାଇଲା ଯାଏ ।।
ବସୁନ୍ଧରା ଓଠ ଥରାଅନି
ଦୁର୍ବଳ ଦୀପଶିଖା ପରି
ରାତିକୁ ସଜଳ କରି
ମନକୁ ଚିପୁଡି
ଗାଅ ନାହିଁ ଗୀତ
ପବନରେ ନିରିମାଖୀ ହୋଇ ।।