Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୧

ଜୟ ଜଗନ୍ନାଥ, ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ସର୍ବଶକ୍ତିମାନ )ଓ ପରମାଶକ୍ତି (ଯୋଗମାୟା )ଙ୍କ ବିଷୟରେ ଅନେକ ଆଲୋଚନା କରିସାରିଛେ । ତନ୍ତ୍ରବାଦ ଅନୁସାରେ ଆଲୋଚନା କରି ଜଗନ୍ନାଥଙ୍କୁ ଦକ୍ଷିଣକାଳିକା ରୂପେ ବର୍ଣ୍ଣନା କରିବା ସମୟରେ ଆଉ ଏକ ବର୍ଣ୍ଣନା ସାମ୍ନା କୁ ଆସେ । ତାହା ହେଲା “ଉଗ୍ରତାରା ଶୁଳପାଣି “. ଶ୍ରୀଜଗନ୍ନାଥଙ୍କ ଚତୁବୃହ୍ୟ ରୁପର ଆଲୋଚନା କାଳରେ ଆମେ ଶ୍ରୀବଲଭଦ୍ରଙ୍କୁ ଶୂଳପାଣି ରୂପରେ ବିବେଚନା କରିଥାଉ । ସେହିପରି ଉଗ୍ରତାରାଙ୍କ କଥା ଆସିଲେ ବିଶେଷ ଭାବରେ ଭୂଷଣ୍ଡପୁରର ଉଗ୍ରତାରାଙ୍କ କଥା ମନକୁ ଆସେ । କିନ୍ତୁ ନୀଳାଚଳରେ ବା ଶ୍ରୀମନ୍ଦିରରେ ଉଗ୍ରତାରାଙ୍କ ଚର୍ଚ୍ଚା ବେଶୀ ହୁଏନି । ଅବଶ୍ୟ ନୀଳାଚଳର ବଡଦାଣ୍ଡରେ ଥିବା ମା ଚର୍ଚ୍ଚିକାଙ୍କ ମନ୍ଦିରରେ ତାରା ପୂଜା ପାଉଛନ୍ତି । ସେହିପରି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରବେଢା ବାହାରେ ଉଗ୍ରତାରାଙ୍କ ମୂର୍ତ୍ତି ସ୍ଥାପିତ ଓ ପୂଜିତ ହେଉଛନ୍ତି ।

ନୀଳାଚଳରେ ନୀଳାଦ୍ରିଶ ଓ ନୀଳସରସ୍ବତୀ ଏହି ଶବ୍ଦ ନିଶ୍ଚିତ ଭାବେ ସମସ୍ତେ ଶୁଣିଥିବେ । ନୀଳାଦ୍ରିର ଈଶ ବା ଇଷ୍ଟ ଶ୍ରୀଜଗନ୍ନାଥଙ୍କୁ ନୀଳାଦ୍ରିଶ ସମ୍ବୋଧନ କରିବା ସମୟରେ ଆମେ ଉଗ୍ରତାରାଙ୍କୁ ଯେ ନୀଳସରସ୍ବତୀ ଭାବେ ଆରାଧନା କରାଯାଏ ତାହା ସାଧାରଣ ଭାବରେ ଜଣାନଥାଏ । ଏଠାରେ ଗୋଟିଏ କଥା ବିଶ୍ୱାସ କରାଯାଏ ଯେ ମା ଉଗ୍ରତାରା ନୀଳବର୍ଣ୍ଣl ଓ ବେଦବିଦ୍ୟା ଦାୟିନୀ (ସରସ୍ବତୀ ସ୍ୱରୂପା ) । ତେଣୁ ସେ ହିଁ ନୀଳସରସ୍ବତୀ, ଆଉ ଏକ ମତରେ ସେ ଶୂଳପାଣି (ଶିବ ସ୍ୱରୂପ ) ଏବଂ ଶିବଙ୍କ ଅନ୍ୟନାମ” ନୀଳଲୋହିତ । ”

ତେଣୁ ଉଗ୍ରତାରାଙ୍କୁ ନୀଳସରସ୍ୱତୀ ଭାବରେ ବିବେଚନା କରିବା ବିଧେୟ । ଏଠାରେ ନୀଳତନ୍ତ୍ର ର ଏହି ଶ୍ଳୋକକୁ ଉଦ୍ଧାର କରିବାକୁ ଇଛା ହେଉଛି ଯଥା “ତାରା ଯନ୍ତ୍ର ମହାଶେଷ ସୁଭଦ୍ରା ଭୁବନେଶ୍ୱରୀ, ଶ୍ୟାମlଚକ୍ରେ ଜଗନ୍ନାଥ ଦକ୍ଷିଣକାଳିକା ସ୍ୱୟଂ । ” ଆପଣମାନେ ଅବଗତ ଥିବେ ଯେ ଶ୍ରୀମନ୍ଦିରରେ ଅନେକ ଯନ୍ତ୍ର ବିରାଜମାନ କରିଛନ୍ତି । ତେଣୁ ତାରା ଯନ୍ତ୍ର ବା ଶ୍ୟାମlଚକ୍ର ରୂପେ ବର୍ଣନା କିଛି ଅପ୍ରସଙ୍ଗିକ ନୁହେଁ । ସେହିପରି ପ୍ରଚଳିତ “ଉଡ୍ଡୀୟାନ ତନ୍ତ୍ର ପୀଠ “ସମ୍ବଧୀୟ ତତ୍ତ୍ୱ ଅନୁସାରେ ବିରଜାକ୍ଷେତ୍ର ଠାରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଏହି ତନ୍ତ୍ର କ୍ଷେତ୍ର ପରିବ୍ୟାପ୍ତ । ” ମହାପୁରୁଷ ବିଦ୍ୟା “ଅନୁସାରେ ଏହାକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି ।

୧ . ଶୁଦ୍ଧସତ୍ତ୍ୱମୟୀ ଭୂମି,  ଯାହା ବିରଜା ଭୂମିରୁ ଏକ୍ରlମ କ୍ଷେତ୍ର ଯାଏ ବିସ୍ତୃତ ।
୨ . ପରମାନନ୍ଦମୟୀ ଭୂମି, ଏକ୍ରlମ କ୍ଷେତ୍ର ଠାରୁ ଚନ୍ଦନପୁର (କପୋତେଶ୍ୱର)ଙ୍କ ପର୍ଯ୍ୟନ୍ତ ବିସ୍ତୃତ
୩ . ପରମପଦ ଭୂମି, କପୋତେଶ୍ୱରଙ୍କଠାରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ବିସ୍ତୃତ ।

ଏଠାରେ ଏହି ପରମପଦ ଭୂମିର ବୈଶିଷ୍ଟ୍ୟ ରକ୍ଷା ପାଇଁ ଐଶ୍ୱର୍ଯ୍ୟମୟୀ ମା ଲଷ୍ମୀଙ୍କ ସହ ବେଦ ଜ୍ଞାନ ପ୍ରଦାୟିନୀ ମା ନୀଳସରସ୍ବତୀ ଓ ମହାମାୟା ମା ବିମଳା (ଶକ୍ତି ପ୍ରଦାୟିନୀ )ତ୍ରିଶକ୍ତିଙ୍କ ଉପସ୍ଥିତି ଏକାନ୍ତ ପ୍ରୟୋଜନବୈଶିଷ୍ଟ୍ୟ ଆସନ୍ତୁ ଉଭୟ ଶକ୍ତି ଓ ଶକ୍ତିମାନଙ୍କ ଆରାଧନା କରିବା । ଯେଭଳି ଭକ୍ତ ଧ୍ରୁବ କରିଥିଲେ “ଏକସ୍ତ୍ୱମେବ ଭଗବନ୍ନିଦମାତ୍ମଶକ୍ତ୍ୟl, ମାୟାଖ୍ୟୟୋ ରୁଗୁଣୟା ମହଦାଦ୍ୟଶେଷମ ସୃଷ୍ଟlନୁବିଶ୍ୟ ପୁରୁଷସ୍ତଦସଦଗୁଣେଷୁ ନାନେବ ଦlରଷୁ ବିଭାବସୁବଦ ଭିଭାସି । “ଅର୍ଥାତ ହେ ପ୍ରଭୁ ଆପଣ ଏକ ଅଟନ୍ତି କିନ୍ତୁ ଆପଣଙ୍କ ଗୁଣମୟୀ ମାୟାଶକ୍ତି ବଳରେ ଜଗତ ରଚନା କରି, ତହିଁରେ ଅନ୍ତର୍ଯ୍ୟାମୀ ପୁରୁଷ ଭାବରେ ବିଦ୍ୟମାନଥାନ୍ତି। ଯେପରି ବିଭିନ୍ନ ଦାରୁରେ ଅଗ୍ନି ବିଭିନ୍ନ ରୁପରେ ପ୍ରତିଭାତ ହୁଏ। ଆପଣ ବିଭିନ୍ନ ଶରୀରରେ ବ୍ରହ୍ମ ସ୍ୱରୂପରେ ପ୍ରକାଶିତ ଅଟନ୍ତି। ତେଣୁ ଆପଣ ହିଁ ନୀଳାଦ୍ରିଶ ଓ ନୀଳସରସ୍ବତୀ ।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.