Latest Odisha News

BREAKING NEWS

ଭାଷା ଭାଗବତ : ଭାଷାମେଳା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

 

ମାତୃଭାଷାକୁ ଅବହେଳା

କରିଲେ ଯାହା ଯେତେ ହେଲା

ତାହା ତ ସଂସାର ଦେଖିଲା

ଏବେ ହେଉଛି ଭାଷାମେଳା

 

ଭାଷାଜ୍ଞାନୀଂକୁ ନିମଂତ୍ରଣ

କରିଣ ଶୁଣିଲେ ଭାଷଣ

ସମସ୍ୟାବଳି ସମାଧାନ

କରିବେ ଏଠି ବିଜ୍ଞ ଜନ

 

ଏପରି ବିଶ୍ବାସର ଭିତ୍ତି

ନ ଥିଲେ ସୁଦ୍ଧା ଏହି ଜାତି

ସଭାରେ ମାରି କରତାଳି

ପୁଣି କର୍ତବ୍ୟ ଦେବ ଟାଳି

 

ଭାଷାକୁ କଲେ ବ୍ୟବହାର

ବଢ଼ଇ ମର୍ଯାଦା ତାହାର

ଏହି ସତ୍ୟକୁ ଯାଇ ଭୁଲି

ସଭିଏଁ କରୁଥାଂତି କଳି

 

ନିଃସ୍ପୃହ ବିଶେଷଜ୍ଞ ଦଳ

ଏକ ଠାବରେ ହେଲେ ଠୁଳ

ଭାଷାଟେ ହୁଏନି ସବଳ

ଚାଲେ କେବଳ ଗଂଡଗୋଳ

 

ନିଃସ୍ବ ଲୋକଂକ ବିଶ୍ବ ଚିଂତା

ଯୋଗୁଁ ଅନେକ ଭାଷାହଂତା

ପାଇଲେ କ୍ଷଣିକ ପ୍ରସିଦ୍ଧି

ବଢ଼େନି ଜ୍ଞାନ କିଂବା ବୁଦ୍ଧି

 

ଏଠି ଶିଶୁ, ତରୁଣଗଣ

ନ ହେଲେ ଭାଷାପରାୟଣ

କିଏ ଏ ଭାଷା ପ୍ରତି ଧ୍ୟାନ

ଦେବ, କରଂତୁ ଅନୁମାନ

 

ଅନ୍ୟତ୍ରବାସୀ ଏହି ଭାଷୀ

ହୋଇଲେ ଏଣିକି ପ୍ରୟାସୀ

କରି ସ୍ବଭାଷା ବ୍ୟବହାର

ଘଟାଇ ପାରଂତେ ବିସ୍ତାର

 

ପ୍ରବାସୀ ଘରେ ଭାଷାଦୀପ

ଜଳାଇ ନିଜର ସ୍ବରୂପ

ଦେଖାଉଥିଲେ ଅହର୍ନିଶ

ସଂଭବ ବାସ୍ତବ ବିକାଶ

 

ଚେଷ୍ଟା କରିଲେ ଅବିରତ

କୃତି ବି ହୁଏ ଜନାଦୃତ

ଲେଖକ ପାଇଁ ନାହିଁ ଛୁଟି

ସାଧନା ସହ ରହେ ଜୁଟି

 

ଭାଷାନୁକୂଳ ଯଂତ୍ରପାତି

ବ୍ୟବହାର କରିଲେ ବ୍ୟକ୍ତି

ହେବନି ବେଶି ତ୍ରୁଟି, ଭ୍ରାଂତି

ଭାଷା ପାଇବ ନୂଆ ଶକ୍ତି

 

ଚଂଚଳ ହେଲେ ଲେଖା କାମ

ବ୍ୟକ୍ତିଂକୁ ମିଳିବ ବିଶ୍ରାମ

ମନରେ ବିରାଜିଲେ ଶାଂତି

ସତେ ସଂଭବ ସର୍ବୋନ୍ନତି

 

Comments are closed.