ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅଭିଧାନରୁ ଶବ୍ଦ ଖୋଜି
ବ୍ୟବହାର କରିଲେ ଆଜି
ତାହା କି ଏବର ପାଠକ
ପଢ଼ି ପାଇବେ ଟିକେ ସୁଖ ?
ଏ କଥା କରିଲେ ବିଚାର
ଏ ଭାଷା ହେବ ସଭିଂକର
ସାହିତ୍ୟ ଆପେ ପାରେ ବଢ଼ି
ଲୋକେ ସତେ ପାରିଲେ ପଢ଼ି
ଚଳିତ ଭାଷା ସର୍ବୋତ୍ତମ
ବୁଝିଲେ ଏ କଥାର ମର୍ମ
କେହି ହେବାନି କାଳଚ୍ୟୁତ
ସାହିତ୍ୟ ହୋଇବ ଆଦୃତ
ଯାହାଂକ ଯେପରି ଧାରଣା
ତଦନୁଯାୟୀ ପଢ଼ା ଶୁଣା
କରିଲେ କେ କରିବ ମନା
ଏ କଥା ନାହିଁ ମୋତେ ଜଣା
ଶବ୍ଦର ଜନ୍ମ ଓ ମରଣ
ଯେହେତୁ ଅଟେ ସାଧାରଣ
ଅତୀତର ପୁନଃସ୍ଥାପନ
ପ୍ରୟାସ ହୁଏ ଅକାରଣ
ଧ୍ୟାନ, ଧାରଣା ସଂଗେ ବାସ
କରିଲେ ଘଟିବ ବିକାଶ
ସବୁ ଅଦୃଶ୍ୟ ଗୁଣାବଳି
ଦିଶିବେ ଅଧିକ ଉଜ୍ଜ୍ବଳି
ସ୍ବାର୍ଥୀ ହିଁ ହୁଏ ଆତ୍ମଲୀନ
ତାହା ନୁହେ ଅସମୀଚୀନ
କୃପଣ କରିଥାଏ ଦାନ
ପରିବର୍ତିତ ହେଲେ ମନ
ମନକୁ ଓଲଟ ପାଲଟ
କରିଲେ ସତ୍ୟର ନିକଟ
ପହଂଚିପାରେ ଜଣେ ବ୍ୟକ୍ତି
ଅର୍ଜନ କରେ ଆତ୍ମଶାଂତି
ପରିବର୍ତନ ଘନଘନ
ସ୍ଥିତିକୁ କରଇ ସଂପନ୍ନ
କିଛି ବି ନୁହେ ଚିରଂଜୀବୀ
ଏ ସତ୍ୟ ବୁଝେ ଅନୁଭବୀ
ବଦଳେ ଯେଣୁ ଅବିରତ
ଲୋକଂକ ଧାରଣା ଓ ମତ
କାଳାନୁସାରେ ଭିନ୍ନ ଭିନ୍ନ
ହୁଅଇ ସଂସାରେ ଜୀବନ
ଆବିଷ୍କାର ଓ ଉଦ୍ଭାବନ
ଯୋଗୁଁ ହିଁ କଳା ଓ ବିଜ୍ଞାନ
ଉଭୟ ହେଲେ ପ୍ରାସଂଗିକ
ସୁଖେ ରହଂତି ବହୁ ଲୋକ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.