ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସ୍ମୃତିରେ ଥିଲେ ଅଳ୍ପ ଜ୍ଞାନ
ଈଶ୍ବର ବିଶ୍ବାସଭାଜନ
ହୁଅଂତିନାହିଁ ବୋଲି ଜାଣ
ରହିଛି ଅସଂଖ୍ୟ ପ୍ରମାଣ
ଜ୍ଞାନ ବଢ଼ିଲେ ଟିକେ ବେଶି
ମଣିଷ ଈଶ୍ବରବିଶ୍ବାସୀ
ହୁଅଇ ଅତି ସହଜରେ
ଏ କଥା ଧରେ ମଗଜରେ
ଜ୍ଞାନ-ସଂପନ୍ନ ଯାହା ମନ
କରେନି ଭଜନ, କୀର୍ତନ
କରିଲେ ଅବିରତ ଧ୍ୟାନ
ପ୍ରଭୁ ହୁଅଂତି ବିଦ୍ୟମାନ
ସତତ ଈଶ୍ବରାନୁଭୂତି
ପାଇବା ପାଇଁ ଯେଉଁ ବ୍ୟକ୍ତି
ପୋଷଣ କରେ ଅଂତର୍ଭକ୍ତି
ସିଏ ହିଁ ପାଏ ଦୀର୍ଘ ଶାଂତି
ଶବ୍ଦୋତ୍ତର ସ୍ଥିତିରେ ଶୁଣ
ହୃଦୟର ଧୀର ସ୍ପଂଦନ
ଶ୍ବାସର ଗମନାଗମନ
କୋଷର ନାଶ ଓ ନିର୍ମାଣ
ଏ ସବୁ ମିଶିଲେ ଜୀବନ
ପ୍ରତ୍ୟେକ କାୟାରେ ସମାନ
ଯାହା ବି ଦିଶେ, ଶୁଭେ ଭିନ୍ନ
ସର୍ବେ ହୁଅଂତି ସେଠି ଲୀନ
ଜଡ଼ ହିଁ ସର୍ବଦା ନିଶ୍ଚଳ
ଜୀବଂତ ସକ୍ରିୟ ସଚଳ
ଅସ୍ପଷ୍ଟ ଗୁଣୁଗୁଣୁ ଭାଷା
ସଂଚାର କରିଥାଏ ଆଶା
ଅଂଗର ଭଂଗି ଓ ଚାହାଁଣି
କହିଲେ ନିଶବ୍ଦ କାହାଣୀ
ତାହା ଯେ ପାରେ ବୁଝି,ଶୁଣି
ସେ ଜଣେ ସତ୍ୟଗ୍ରାହୀ ଜ୍ଞାନୀ
Comments are closed.