Latest Odisha News

ଭାଷା ଭାଗବତ : ମୃତାରାଧନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

କଥିତ ଚର୍ଚା କୋଳାହଳ
ଲିଖିତ ବ୍ୟାଖ୍ୟା ଦିଏ ବଳ
ଲେଖକ ସହିତ ପାଠକ
ପାଆଂତି ଦୀପ୍ତ ଜ୍ଞାନାଲୋକ

ଅନେକ ଲୋକ ହେଲେ ରୁଂଡ
କରଂତି ଯେତେ ପାଟିତୁଂଡ
ତା’ର ସାମାନ୍ୟ ପରିଣତି
ପାଆଂତିନାହିଁ କେଉଁ ବ୍ୟକ୍ତି

କେବଳ ଅଭ୍ୟାସଚାଳିତ
ହୋଇ ରହିଲେ ଚର୍ଚାରତ
ଯେ ପାଏ ଅପୂର୍ବ ଉଲ୍ଲାସ
ନିଜ ଭାଷାକୁ କରେ ନାଶ

ସଭା ମଂଚରେ ହୋଇ ଠିଆ
ବଦଳିଯାଏ ଯା’ର ହିଆ
ତା’ର କଥାର ଅଗ, ମୂଳ
ଅଜଣା ରହେ ଚିରକାଳ

ଅମର ହେବାକୁ ସମର
ନୁହେ କେବେ ବି ଦରକାର
ଏ କଥା କରିଲେ ସ୍ବୀକାର
କରିବା ଯୁଦ୍ଧ ପରିହାର

ମରଣୋପରାଂତେ ସୁଖ୍ୟାତି
ପାଇବା ପାଇଁ ଯଦି ବ୍ୟକ୍ତି
କରେ ପ୍ରାପ୍ତ ସମୟ କ୍ଷୟ
ଘଟେନି ତା’ର ଜ୍ଞାନୋଦୟ

ଜୀବଂତ ଲୋକଂକ ମନରେ
କେହି କେବେ ବାସ ନ କରେ
ସାଂବତ୍ସରିକ ଶ୍ରାଦ୍ଧୋତ୍ସବ
ବଦଳାଏନି ମନୋଭାବ

ମୃତାରାଧନା ହେଲେ ପ୍ରଥା
ବଦଳିଯାଏନି ଅବସ୍ଥା
ହେଲେ ହେଁ ସ୍ପଷ୍ଟ ଦୃଶ୍ୟମାନ
ବୁଝେନି ଲୋକଂକର ମନ

କେଉଁଠି ଉଜ୍ଜ୍ବଳ ଆଲୋକ
ଦିଶିଲେ ଅଧିକାଂଶ ଲୋକ
ହୋଇଯାଆଂତି ଉଡ଼ା ପୋକ
ହୁଅଂତି ନିଜର ଘାତକ

ଜଟିଳତାର ସଂରକ୍ଷଣ
ନ ଥିଲେ ସୁଦ୍ଧା ପ୍ରୟୋଜନ
ଲେଖକେ ଅଭ୍ୟାସବଶତଃ
ସର୍ବଦା ମିଛେ ଭୟଭୀତ

ଜଟିଳତାକୁ ପରିହାର
ନ କଲେ ଭାଷା ବ୍ୟବହାର
କେବଳ କଥିତ ସ୍ତରରେ
ଅଧା ଜିଏଁ ଓ ଅଧା ମରେ

ସ୍ଥଳ ଓ କାଳ ଅତିକ୍ରମ
କରିବା ପ୍ରୟାସ ଉତ୍ତମ
ଲିପି-ଗଠିତ ଶୁଦ୍ଧ ପାଠ
ପହଂଚେ ଲୋକଂକ ନିକଟ

ଉଚ୍ଚକ୍ଷମତାଧାରୀ ଲୋକ
ନିଷ୍ପତ୍ତି ନେଲେ ହେଁ ଅନେକ
ହୁଏ କେତେଟା କାର୍ଯକାରୀ
ନ ଥାଏ ସ୍ମୃତିର କାହାରି

ଘୋଷଣା ପ୍ରଚାର ବହୁତ
ହେଲେ ବି କେବେ କାହା ହିତ
ହେବାର ଗୋଟିଏ ପ୍ରମାଣ
କେଉଁଠି ନୁହେ ଦୃଶ୍ଯମାନ

ଭାଂଗି ଜାଣିଲେ ହୁଏ ଗଢ଼ି
ଖୋଲି ଶିଖିଲେ ହୁଏ ଯୋଡ଼ି
ଶବ୍ଦର ମୂଳ ଉପାଦାନ
ଚିହ୍ନିଲେ ବଢ଼େ ଭାଷାଜ୍ଞାନ

ସ୍ବାସ୍ଥ୍ୟ ଅବସ୍ଥା ସ୍ବାସ୍ଥ୍ୟାବସ୍ଥା
ଦୁର୍‌ ଅବସ୍ଥା ଦୁରବସ୍ଥା
ପୂଜା ଆସ୍ପଦ ପୂଜାସ୍ପଦ
ସ୍ନେହ ଆସ୍ପଦ ସ୍ନେହାସ୍ପଦ

ଗୋଟିଏ କାମ ବାରଂବାର
କରିବା ଅଭ୍ୟାସ ଯାହାର
ସେ କରେନାହିଁ ଅଗ୍ରଗତି
ଏହା ତ ସଂସାରର ରୀତି

ବୃତ୍ତପଥରେ ଘୂରି ଘୂରି
ପୂରା ଆୟୁଷ ଯାଏ ସରି
ପଶ୍ଚାତ୍ତାପରେ ମନ ଭରି
ଅଯଥା ଯାଇଥାଏ ହାରି

ନିଜେ ହାଲୁକା ହେବା ପାଇଁ
ଲେଖକ ଯାହା ବି ଲେଖଇ
ତାହା ଏକାଂତ ବ୍ୟକ୍ତିଗତ
କରିପାରେନି କାହା ହିତ

ପ୍ରେରଣା ଗ୍ରହଣ ଅଭ୍ୟାସ
ଘଟାଏ ଭାଷାର ବିକାଶ
ଲେଖିଲେ ପାଠକଂକ ପାଇଁ
ଭାଷାଟେ ଲୋପ ପାଏନାହିଁ

Comments are closed.