Latest Odisha News

BREAKING NEWS

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ ତମ ଜନ୍ମ ଜୟନ୍ତୀ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହି ଅବସରରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି ।

ସେ ଏକାଧାରାରେ ସ୍ବାଭିମାନୀ, ସାହସୀ ଓ ଯୁଗ ସ୍ରଷ୍ଟା ଥିଲେ । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସମଗ୍ର ଦେଶରେ ‘ଭାରତ ଛାଡ଼’ ଆନ୍ଦୋଳନ ଆରମ୍ଭ ପରେ ଗାନ୍ଧୀଜୀଙ୍କ ସମେତ ବଡ଼ ବଡ଼ ନେତାଙ୍କୁ ଗିରଫ କରିନିଆଯାଇଥିଲା । ସେହି ସମୟରେ ବିଜୁବାବୁ ଅଦମ୍ୟ ସାହସ ପ୍ରଦର୍ଶନ କରି ବ୍ରିଟିସ ବାୟୁସେନାର ବିମାନରେ ଅତ୍ୟନ୍ତ ଗୋପନୀୟ ଭାବେ ତୁଙ୍ଗ ନେତାମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଦେଶ ସାରା ‘ଭାରତ ଛାଡ଼’ ଆନ୍ଦୋଳନକୁ ଉଜ୍ଜୀବିତ ରଖିବାରେ ସାହାଯ୍ୟ କରିଥିଲେ । ଏଥିପାଇଁ ରାଜଦ୍ରୋହ ଅପରାଧରେ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା ।

୧୯୫୨ ମସିହାରେ ସେ ଜଗନ୍ନାଥ ପ୍ରସାଦ ଆସନରୁ ପ୍ରଥମଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ । ଏହାପରେ ବିଜୁ ବାବୁ ୧୯୬୧ ମସିହାରୁ ୧୯୬୩ ଏବଂ ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ରାଜ୍ୟର ପ୍ରଗତି ପାଇଁ ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଥିଲେ । ଦେଶ ସ୍ବାଧୀନ ହେବା ପରେ ସେ ଓଡ଼ିଶାକୁ ବିଭବଶାଳୀ ରାଜ୍ୟ ଭାବେ ପରିଣତ କରିବାର ସ୍ବପ୍ନ ଦେଖିଥିଲେ । ଆଧୁନିକ ଓଡିଶାର ଥିଲେ ସେ ବିନ୍ଧାଣୀ ।

ଓଡ଼ିଶା ସରକାର ଅନେକ ଅନୁଷ୍ଠାନକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଛନ୍ତି । ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ସେଥିମଧ୍ୟରୁ ଅନ୍ୟତମ । ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର । ତେଣୁ ତାଙ୍କ ଜନ୍ମ ଦିନ ମାର୍ଚ୍ଚ ୫ ତାରିଖ ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ । ୧୯୯୭ ଏପ୍ରିଲ ୧୭ରେ ଦିଲ୍ଲୀରେ ତାଙ୍କର ପରଲୋକ ହୋଇଥିଲା ।

ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ‘ଏକ୍ସ’ ରେ ଏନେଇ ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ‘ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ଲାଗି ସେ ଆଙ୍କିଥିବା ନକ୍ସା ଏବେ ମଧ୍ୟ ଆମକୁ ବାଟ ଦେଖାଉଛି । ଆସନ୍ତୁ ସେହି ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରିବା । ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା’ ।

ଅନ୍ୟପଟେ, ବିଜୁ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳାକୃତି ମାଧ୍ୟମରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହାସହ ଟ୍ରିବ୍ୟୁଟ୍ ଟୁ ଦି ଟଲ୍ ମ୍ୟାନ ବିଜୁ ବାବୁ ଏବଂ କଳିଙ୍ଗର ବୀରପୁତ୍ର ବିଜୁବାବୁ ବୋଲି ଲେଖିଛନ୍ତି ସୁଦର୍ଶନ ।

Leave A Reply

Your email address will not be published.